ମୁମ୍ବଇ: ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ତଥା ‘ଟାଟା ଗ୍ରୁପ’ର ପୂର୍ବତନ ମୁଖ୍ୟ ରତନ ଟାଟା। ଗତ କିଛି ଦିନରୁ ଅସୁସ୍ଥତା କାରଣରୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଇହଧାମ ତ୍ୟାଗ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ରତନ। ଟାଟାଙ୍କ ଦେହାନ୍ତରେ ଭାରତର ଉଦ୍ୟୋଗଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକପ୍ରକାଶ କରିଛନ୍ତି । କେବଳ ଭାରତରେ ନୁହେଁ, ବରଂ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଥିବା ବେଳେ ଶିଳ୍ପଜଗତ ସହ ଜଡିତ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ତେବେ ଶେଷ ଦର୍ଶନ ପାଇଁ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ମୁମ୍ବାଇରେ ପହଞ୍ଚିଥିବା ବେଳେ ଗୁରୁବାର ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ।
ସୂଚନାଯୋଗ୍ୟ ଯେ, ୧୯୩୭ ମସିହାରେ ତତ୍କାଳୀନ ବମ୍ବେ ପ୍ରେସିଡେନ୍ସି (ଗୁଜୁରାଟ)ରେ ଜନ୍ମିତ ରତନ ଟାଟାଙ୍କ ନେତୃତ୍ବରେ ‘ଟାଟା ଗ୍ରୁପ’ର ବ୍ୟବସାୟିକ ନେଟଓ୍ବାର୍କ ପ୍ରାୟ ସମସ୍ତ କ୍ଷେତ୍ରରେ ପ୍ରବେଶ କରିଥିଲା । ଜଣେ ସଫଳ ଶିଳ୍ପପତି ଭାବେ ସେ ଯେତିକି ଖ୍ୟାତି ଅର୍ଜନ କରିଥିଲେ ତାଠାରୁ ଅଧିକ ସରଳ ଜୀବନଶୈଳୀ, ନମ୍ର-ଭଦ୍ର ସ୍ବଭାବ ଓ ଭାରତୀୟ ସମାଜର ଅର୍ଥନୈତିକ ଉନ୍ନତି ପାଇଁ ସମାଜସେବା କ୍ଷେତ୍ରରେ ଅବଦାନରେ ପ୍ରସିଦ୍ଧି ଲାଭ କରିଥିଲେ । ‘ଟାଟା ଗ୍ରୁପ’ ଅଧୀନରେ ପରିଚାଳିତ ଟାଟା ଟ୍ରଷ୍ଟକୁ ନିଜ ଆୟର ୬୬ ପ୍ରତିଶତ ଦାନ କରୁଥିଲେ ରତନ ଟାଟା । ଶିକ୍ଷା, ସ୍ବାସ୍ଥ୍ୟ ଓ ବିଭିନ୍ନ ସମ୍ବଦନଶୀଳ ବର୍ଗର ଆର୍ଥନୈତିକ ଉନ୍ନତି ପାଇଁ ଏହି ଟ୍ରଷ୍ଟ କାମ କରୁଛି ।ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଓ ପଦ୍ମବିଭୂଷଣରେ ସମ୍ମାନରେ ସମ୍ମାନିତ କରିଥିଲେ ।