ମୁମ୍ବଇ: ଆରପାରିରେ ଶିଳ୍ପସମ୍ରାଟ ରତନ ଟାଟା । ବୁଧବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ରତନ। ଭାରତୀୟ ଅଟୋମୋବାଇଲ କ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ ‘ଟାଟା-ଇଣ୍ଡିକା’ କାର ଥିଲା । ଏହି ପ୍ରୋଜେକ୍ଟ ସମଗ୍ର ଭାରତରେ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିଲା । ଏହାପରେ ସେ ବିଶ୍ବର ସବୁଠାରୁ ଶସ୍ତା କାର ‘ଟାଟା- ନାନୋ’ ମଧ୍ୟ ବଜାରକୁ ଆଣି ରେକର୍ଡ କରିଥିଲେ । ଉଦ୍ୟୋଗ କ୍ଷେତ୍ରରେ ଟାଟା ଷ୍ଟିଲ୍, ଟାଟା କନସଲଟାନ୍ସି, ଟାଟା ମୋଟର୍ସ, ଟାଟା ପାଓ୍ବାର, ଟାଟା ସଲ୍ଟ ପରି କମ୍ପାନୀ ଭଳି ବିଶାଳ ବ୍ୟବସାୟିକ ନେଟଓ୍ବାର୍କ କରିବା ସହ ‘ଲ୍ୟାଣ୍ଡ-ରୋଭର’ ଓ ‘ଜାଗୁଆର’ ପରି ୟୁରୋପୀୟ ‘ଏସୟୁଭି’ କାର କମ୍ପାନୀକୁ ଅଧିଗ୍ରହଣ କରିଥିଲା ରତନ ଟାଟାଙ୍କ ‘ଟାଟା ସନ୍ସ’ । ତାଙ୍କର କାର୍ଯ୍ୟକାଳ ସମୟରେ ଟାଟା ଗ୍ରୁପର ସମ୍ପତ୍ତି ପ୍ରାୟ ୪୦ ଗୁଣା ବୃଦ୍ଧି ପାଇଥିଲା ।
ଭାରତୀୟ ଶିଳ୍ପ ଜଗତରେ ଅତୂଳନୀୟ ଅବଦାନ ପାଇଁ ଟାଟାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପ୍ରଥମେ ୨୦୦୦ ମସିହାରେ ‘ପଦ୍ମଭୂଷଣ’ ଓ ୨୦୦୮ ମସିହାରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରିଥିଲେ। ସେହିପରି ତାଙ୍କୁ ମହାରାଷ୍ଟ୍ର ସରକାର ମଧ୍ୟ ‘ମହାରାଷ୍ଟ୍ର ଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ । ତାଙ୍କୁ ବିଭିନ୍ନ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟଗୁଡିକ ମଧ୍ୟ ସମ୍ମାନଜନକ ଉପାଧିରେ ସମ୍ମାନିତ କରିଛନ୍ତି ।
ଏତଦ୍ବ୍ୟତୀତ ରତନ ଟାଟା ବିଶ୍ବର ବିଭିନ୍ନ ଦେଶର ଏକାଧିକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓ ସରକାରଙ୍କ ପକ୍ଷରୁ ସମ୍ମାନିତ ହୋଇଥିଲେ । ୨୦୦୭ରେ ସେ ‘ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସ’ର ସମ୍ମାନଜନକ ଫେଲୋସିପ୍ ଗ୍ରହଣ କରିଥିଲେ । ସେହିପରି ୨୦୧୦ରେ ‘ଓସଲୋ ବିଜିନେସ ପିସ ଆଓ୍ବାର୍ଡ’ ଓ ୨୦୧୪ ରେ ସମ୍ମାନଜନକ ‘ନାଇଟ୍ ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ବ୍ରିଟିଶ୍ ଏମ୍ପାୟାର’ ଏବଂ ଫ୍ରାନ୍ସ ସରକାରଙ୍କ ଦ୍ୱାରା ‘କମାଣ୍ଡର ଅଫ୍ ଲେଜିଅନ୍ ଅଫ୍ ହନର’ ରେ ସେ ସମ୍ମାନିତ ହୋଇଥିଲେ ।