ମୁମ୍ବଇ: ଭାରତର ଶିଳ୍ପସମ୍ରାଟ ରତନ ଟାଟା। କେବଳ ଜଣେ ପ୍ରସିଦ୍ଧ ଉଦ୍ୟୋଗପତି ନୁହେଁ ବରଂ ଲାଇସେନ୍ସ ପ୍ରାପ୍ତ ପାଇଲଟ ଥିଲେ ସେ। ଫାଇଟର୍ ପ୍ଲେନ୍ ଉଡାଇବାରେ ସେ ଥିଲେ ପାରଙ୍ଗମ। ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବା ପର୍ଯ୍ୟନ୍ତ ସେ ପାଇଲଟ୍ ଭାବରେ ଉଡ଼ାଣ ଜାରି ରଖିଥିଲେ। ଏଫ-୧୬ ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇଥିବା ପ୍ରଥମ ଭାରତୀୟ ନାଗରିକ ହେଉଛନ୍ତି ରତନ ଟାଟା । ୨୦୦୭ରେ, ୬୯ ବର୍ଷ ବୟସରେ, ସେ ଏଫ-୧୬ ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ।
ସୂଚନାଯୋଗ୍ୟ ଯେ, ବେଙ୍ଗାଲୁରୁର ଏକ ଏୟାର ଶୋ’ରେ ପଲ୍ ହ୍ୟାଟନଡର୍ଫ ଉଡ଼ାଇଥିବା ଏଫ-୧୬ ର ସହ-ପାଇଲଟ୍ ଭାବରେ କାର୍ଯ୍ୟ କରିଥିଲେ ରତନ ଟାଟା। ଲକ୍ହିଡ ମାର୍ଟିନ୍ ବିମାନ ନିର୍ମାତା କମ୍ପାନୀ ର ହ୍ୟାଟନଡର୍ଫ ଥିଲେ ଜଣେ ପରୀକ୍ଷଣ ପାଇଲଟ।
ରତନ ଟାଟା ଯେଉଁ ଏଫ-୧୬ ବ୍ଲକ ୫୦ ଯୁଦ୍ଧ ବିମାନ ଉଡ଼ାଇଥିଲେ ତା’ର ମୂଲ୍ୟ ୪୦୦ କୋଟିରୁ ଅଧିକ ହୋଇଥିବା ବେଳେ ଏହି ଜେଟ୍ ଘଣ୍ଟା ପ୍ରତି ୨୦୦୦ କିଲୋମିଟରରୁ ଅଧିକ ବେଗରେ ଉଡ଼ିବା କ୍ଷମତା ରଖିଥିଲା। ଏହି ଯୁଦ୍ଧ ବିମାନରେ ରତନ ଟାଟା ପ୍ରାୟ ୪୦ ମିନିଟ୍ ଆକାଶରେ ବିତାଇ ଥିବା ବେଳେ ମଝିରେ ଉଡ଼ାଣକୁ ନିୟନ୍ତ୍ରଣ ମଧ୍ୟ କରିଥିଲେ। ମାତ୍ର ଅବତରଣ ସମୟରେ ସେ ଅଳ୍ପ ଥକି ଯାଇଥିବା ଲ୍ୟାଣ୍ଡ କରିବା ପରେ କହିଥିଲେ। ତେବେ ଅବତରଣ ପରେ ଅନୁଭୁତିରେ ସେ କହିଥିଲେ- ‘ଇଟ ୱଜ ଗ୍ରେଟ’। ଏଫ-୧୬ ର ସହ-ପାଇଲଟ୍ ହେବାରେ ପ୍ରଥମ ଭାରତୀୟ ଥିଲେ ରତନ। ତେବେ ଏହାର ପ୍ରାୟ ୧୦ ବର୍ଷ ପରେ ସେ ଭାରତରେ ଏଫ-୧୬ ବ୍ଲକ୍ ୭୦ର ଉତ୍ପାଦନ ପାଇଁ ଲକ୍ହିଡ୍ ମାର୍ଟିନ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଥିଲେ।