କଟକ : ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ମଦ ମାଫିଆଙ୍କ ଉପରେ ପୁଲିସ ଚଢ଼ଉ କରିଛି । ଚଢ଼ଉ ବେଳେ ମଦ ପ୍ରସ୍ତୁତି ସାମଗ୍ରୀ ସହିତ ପ୍ରାୟ ୧୦୦ ଲିଟର ଦେଶୀ ମଦ, ୪୧ ଟି ପ୍ଲାଷ୍ଟିକ ଜାରକିନରେ ମହଜୁଦ ଥିବା ୧୪୩୫ ଲିଟର ମହୁଲ ପୋଚ, ୭ଟି ବଡ଼ ଆଲୁମିନିୟମ ଡେକଚି ଓ ଗୋଟିଏ ସାଇକେଲ ଜବତ ହୋଇଛି । ପୁଲିସକୁ ଦେଖି ଘଟଣାସ୍ଥଳରୁ ମଦ ମାଫିଆମାନେ ଫେରାର ହୋଇଯାଇଛନ୍ତି । ଜବତ ପୋଚକୁ ପୁଲିସ ପକ୍ଷରୁ ନଷ୍ଟ କରାଯାଇଛି । ଏ ସମ୍ବନ୍ଧରେ ଆଠଗଡ଼ ଥାନାରେ ଅବକାରୀ ଆଇନ ଅନୁସାରେ ଏକ ମାମଲା ରୁଜୁ ହୋଇଥିବାବେଳେ ମଦ ମାଫିଆମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ଚଢ଼ଉରେ ଅତିରିକ୍ତ ଏସ୍ପି ଦେବଦତ୍ତ ବରାଳ, ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ଥାନା ଭାରପ୍ରାପ୍ତ ଅଧିକାରୀ ଅନିରୁଦ୍ଧ ମୁଦୁଲିି, ଏସ୍ଆଇ ଦିଲ୍ଲୀପ କୁମାର ବେହେରା, ଜନ୍ମିତା ଶାସମଲ,ଏଏସ୍ଆଇ ସତ୍ୟପ୍ରିୟ ବରାଳଙ୍କ ସମେତ ପୁଲିସ ଫୋର୍ସ ସାମିଲ ଥିଲେ । ଏଥିସହିତ ସମାନ ସମୟରେ ଖଣ୍ଟୁଣୀ ଥାନା ଅନ୍ତର୍ଗତ ଡାଲୁଆ ଜଙ୍ଗଲରେ ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ବିପୁଳ ପରିମାଣରେ ପୋଚ ନଷ୍ଟ କରାଯାଇଛି । ଚଳିତ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ମଦ ମାଫିଆଙ୍କ ଉପରେ ଆଗାମୀ ଦିନରେ ଚଢ଼ଉ ଜାରି ରହିବ ବୋଲି ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମଦ ପ୍ରସ୍ତୁତ ହେଉଥିବା ନେଇ ଏସ୍ପି ଶ୍ରୀ ସିଂହଙ୍କୁ ପୂର୍ବରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ତାଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଭୋରରୁ ଆଠଗଡ଼, ଖୁଣ୍ଟୁଣୀ ସମେତ ଆଖପାଖ ଅଞ୍ଚଳରେ ଚଢ଼ଉ କରାଯାଇଥିଲା ।