ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗୁରୁବାର କେତେକ ସ୍ଥାନରେ ବର୍ଷା ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। କିନ୍ତୁ ଦଶହରାରେ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଆସନ୍ତା ୧୫ ତାରିଖ ବେଳକୁ ଅର୍ଥାତ କୁମାର ପୂର୍ଣ୍ଣିମା ବେଳକୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି। ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅନେକ ସ୍ଥାନରେ ପାଗ ଶୁଖିଲା ରହିବା ସହିତ କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ତେବେ ୧୫ ରୁ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଏହି ସମୟରେ ଗଞ୍ଜାମରୁ ପୁରୀ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ୧୬ରୁ ୧୮ ତାରିଖ ଭିତରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ୧୭ରୁ ୧୮ ତାରିଖରେ ଉତ୍ତର ଓଡି଼ଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ୧୬ ଓ ୧୭ ରେ ଅଧିକ ବର୍ଷା ନେଇ ଆକଳନ କରାଯାଇଛି। ଶୁକ୍ରବାର ପାଇଁ କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଗଂଜାମ, ଗଜପତି ,ମାଲକାନଗିରି, କୋରାପୁଟ, ରାୟଗଡା ,ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।