ଆଜି ସାରା ବିଶ୍ବ ପାଳନ କରୁଛି ‘ଆନ୍ତର୍ଜାତୀୟ ସାକ୍ଷରତା ଦିବସ’। ଏହି ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ପଦକ୍ଷେପ ଯାହା ସାମାଜିକ ବିକାଶ, ବ୍ୟକ୍ତିଗତ ତଥା ବିଶ୍ୱ ଓ ଦେଶର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇ ଥାଏ। ସାକ୍ଷରତା କେବଳ ଏକ ମୌଳିକ ଅଧିକାର ନୁହେଁ ବରଂ ଦାରିଦ୍ର୍ୟ ତଥା ଅସମାନତାକୁ ଅତିକ୍ରମ କରିବା ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ। ଏହା ସହ ଏହି ଦିବସ ସାକ୍ଷରତା ଏବଂ ସାମଗ୍ରିକ ବିକାଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ପ୍ରତିଫଳିତ କରେ। ଶିକ୍ଷା ଉପରେ ସ୍ଥାୟୀ ବିକାଶର ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ଏହି ଦିବସର ଲକ୍ଷ୍ୟ ହୋଇଥିବାରୁ ବିଭିନ୍ନ ବୈଶ୍ୱିକ ସ୍ତରରେ ଏହାକୁ ପାଳନ କରାଯାଇଥାଏ। ଏହି ଦିବସ ଉପଲକ୍ଷେ କେତେକ ସ୍ଥାନରେ ଅନ୍ତରାଷ୍ଟ୍ରୀୟ ସାକ୍ଷରତା ପୁରସ୍କାର ମଧ୍ୟ ଦିଆଯାଏ।
୧୯୬୫ ମସିହା ୭ ନଭେମ୍ବରରେ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଦ୍ୱାରା ପ୍ରତିବର୍ଷ ୮ ସେପ୍ଟେମ୍ବରକୁ ‘ଆନ୍ତର୍ଜାତୀୟ ସାକ୍ଷରତା ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବ୍ୟକ୍ତିବିଶେଷ, ସମାଜ ଏବଂ ସମ୍ପ୍ରଦାୟକୁ ସାକ୍ଷରତାର ମହତ୍ତ୍ୱ ବୁଝେଇବା ଲକ୍ଷ୍ୟରେ ୧୯୬୬ ମସିହାରେ ଏହା ପ୍ରଥମ ଥର ପାଇଁ ପାଳନ ହୋଇଥିଲା। ପ୍ରତିବର୍ଷ ଏକ ଥିମ୍କୁ ନେଇ ଏହି ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷର ଥିମ୍ ହେଉଛି “ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା: ପାରସ୍ପରିକ ବୁଝାମଣା ଏବଂ ଶାନ୍ତି ପାଇଁ ସାକ୍ଷରତା”। ଏହି ଥିମ୍ ୟୁନେସ୍କୋ ଦ୍ୱାରା ନିଷ୍ପତ୍ତି ନିଆଯାଇ ଘୋଷଣା କରାଯାଇଥାଏ। ପୂର୍ବ ଅପେକ୍ଷା ବର୍ତ୍ତମାନ ଭାରତରେ ସାକ୍ଷରତା ବୃଦ୍ଧି ପାଇଛି। ଆଗାମୀ ୧୫ ରୁ ୨୦ ବର୍ଷ ମଧ୍ୟରେ ଭାରତର ବିଶ୍ୱ ସାକ୍ଷରତା ହାର ୯୯.୫୦ ପ୍ରତିଶତ ହେବାର ସମ୍ଭାବନା ରହିଥିବା ଆକଳନ କରାଯାଉଛି।