ମୁମ୍ବାଇ: ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ହତ୍ୟା କରାଯାଇଛି। ଗୁଳିମାଡ଼ ଦ୍ୱାରା ତାଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଥିବା ବେଳେ ସିଦ୍ଦିକିଙ୍କୁ ତିନିଥର ଗୁଳିମାଡ଼ କରାଯାଇଥିଲା। ସେଥିମଧ୍ୟରୁ ଦୁଇଟି ଗୁଳି ଛାତିରେ ଏବଂ ଗୋଟିଏ ଶରୀରର ଅନ୍ୟ ଅଙ୍ଗରେ ବାଜିଥିଲା। ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକିଙ୍କର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଲୀଲାବତୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଗୁଳିକାଣ୍ଡ ତାଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ନିକଟରେ ବାନ୍ଦ୍ରା ଖେରୱାଡି ସିଗନାଲ ନିକଟରେ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଅଛନ୍ତି। ଏହି ତିନି ଅଭିଯୁକ୍ତ ଗତ ୨୫ ରୁ ୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିବା ବେଳେ ଗୁଳିକାଣ୍ଡ ଘଟାଇବା ପୂର୍ବରୁ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚି କିଛି ସମୟ ଅପେକ୍ଷା କରିଥିଲେ। ଅଭିଯୁକ୍ତମାନେ ସିଦ୍ଦିକିଙ୍କ ଉପରେ ୬ରାଉଣ୍ଡ ଗୁଳିମାଡ଼ କରିଥିଲେ। ସେଥିମଧ୍ୟରୁ ତିନିଟି ଗୁଳି ତାଙ୍କ ଦେହରେ ବାଜିଥିଲା। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହରିୟାଣା ଅଂଚଳର କର୍ଣ୍ଣଲ ସିଂ ଓ ଆଉ ଜଣେ ଉତ୍ତରପ୍ରଦେଶର ଧରମରାଜ କାଶ୍ୟପ ।
ପ୍ରକାଶଥାଉ କି, ୨୦୧୩ ମସିହାରେ ବାବା ସିଦ୍ଦିକି କଂଗ୍ରେସ ଛାଡି ଏନସିପି ଅଜିତ ପାୱାରଙ୍କ ଗୋଷ୍ଠୀରେ ଯୋଗ ଦେଇଥିଲେ। ସେ ଗତ ୪୮ବର୍ଷ ଧରି କଂଗ୍ରେସରେ ଥିଲେ। ତେବେ ସେ ଇସ୍ତଫା ଦେବାବେଳେ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ‘ମୁଁ ଜଣେ ଯୁବକ ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି ଏବଂ ୪୮ବର୍ଷ ଧରି ଦଳରେ ରହିଥିଲି। ଆଜି ମୁଁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଉଛି। ମୁଁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।’