ସ୍ୱାଧୀନତା ପରେ ୭୬ ବର୍ଷ ବିତି ଗଲାଣି । ଦେଶରେ ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସବୁଜ ବିପ୍ଳବ, ଶ୍ବେତ ବିପ୍ଳବ, ନୀଳ ବିପ୍ଳବ ଆଦି ବଡ଼ କୃଷି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟ କରିଛି। ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କମ ଦାମରେ ବା ମାଗଣାରେ ଚାଉଳ, ଗହମ ଯୋଗାଇଦିଆଯାଉଛି । କିନ୍ତୁ ଏବେ ବି ଭାରତୀୟଙ୍କ କ୍ଷୁଧା ସ୍ଥିତି ଚିନ୍ତାଜନକ। ଆଉ ବଙ୍ଗଳା ଦୁର୍ଭିକ୍ଷ ପରି ଲୋମହର୍ଷଣକାରୀ ଗଣଦୁର୍ଭିକ୍ଷ ଦେଶରେ ହେଉନାହିଁ ସତ କିନ୍ତୁ ଅନେକ ଲୋକ ପୃଷ୍ଟିକର ଖାଦ୍ୟ ଖାଇବାକୁ ପାଉନାହାନ୍ତି।
ନିକଟରେ ‘କନର୍ସନ ୱାର୍ଲଡୱାଇଡ’ ଏବଂ ୱେଲଟ ହଙ୍ଗର ହ୍ୱିଲଫେ ପକ୍ଷରୁ ମିଳିତ ଭାବେ ବିଶ୍ଵବ୍ୟାପୀ କ୍ଷୁଧାସ୍ଥିତିକୁ ନେଇ ସର୍ବେକ୍ଷଣ କରାଯିବ ପରେ ଗତ ଶୁକ୍ରବାର ଦିନ ୨୦୨୪ ପାଇଁ ବିଶ୍ବ କ୍ଷୁଧା ସୁଚାଙ୍କ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସର୍ବେକ୍ଷଣ କରାଯାଇଥିବା ବିଶ୍ୱର ୧୨୭ ବିକାଶଶୀଳ ରାଷ୍ଟ୍ର ମାନଙ୍କ ମଧ୍ୟରେ ଭାରତର ସ୍ଥାନ ଅଛି ୧୦୫ । ଯେଉଁ ରାଷ୍ଟ୍ର ମାନଙ୍କରେ କ୍ଷୁଧା ନାହିଁ ସେମାନେ ସୂଚୀରେ ଉପରେ ସ୍ଥାନରେ ଥିବା ବେଳେ ଯେଉଁ ମାନଙ୍କର କ୍ଷୁଧାସ୍ଥିତି ଅଧିକ ଉଦବେଗଜନକ ସେମାନେ ତାଲିକାର ନିମ୍ନରେ ସ୍ଥାନ ପାଇଛନ୍ତି। ଭାରତର କ୍ଷୁଧା ସ୍ଥିତି ଏହି ରିପୋର୍ଟରେ ଉଦବେଗଜନକ ଥିବା ଦର୍ଶାଯାଇଛି । ୨୭.୩ ସ୍କୋର ରଖି ଭାରତ ୧୦୫ ସ୍ଥାନରେ ଅଛି । ଗତବର୍ଷ ରିପୋର୍ଟକୁ ଭାରତ ସରକାର ଗ୍ରହଣ କରିନଥିବା ବେଳେ ଏବର୍ଷର ରିପୋର୍ଟ ଉପରେ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନାହାନ୍ତି। ତେବେ କ୍ଷୁଧା ସମ୍ପର୍କିତ ସର୍ବେକ୍ଷଣ ପଦ୍ଧତିରେ ପରିବର୍ତ୍ତନ କରାଯାଇଥିବାରୁ ୨୦୨୩ ରିପୋର୍ଟ ସହିତ ୨୦୨୪ ରିପୋର୍ଟକୁ ତୁଳନା କରାଯାଇ ପାରିବ ନାହିଁ।
ତେଣୁ ଯେଉଁ ୪ଟି ମାପଦଣ୍ଡକୁ ନେଇ କ୍ଷୁଧା ସୁଚାଙ୍କ ପ୍ରସ୍ତୁତ ହୋଇଛି ସେଗୁଡିକ ହେଲା- ୧. ଜନସଂଖ୍ୟାରେ ଅପପୁଷ୍ଟି ହାର (କମ କ୍ୟାଲୋରୀ ଖାଦ୍ୟ ଖାଉଥିବା ଲୋକ), ୨. ୫ ବର୍ଷ ତଳକୁ ଥିବା ଶିଶୁଙ୍କ ଅପପୁଷ୍ଟି ଯୋଗୁଁ ଉଚତା ହ୍ରାସ, ୩. ୫ ବର୍ଷ ତଳକୁ ଥିବା ଶିଶୁଙ୍କ ଅପପୁଷ୍ଟି ଯୋଗୁଁ ଓଜନ ହ୍ରାସ, ୪. ୫ ବର୍ଷ ତଳକୁ ଥିବା ଶିଶୁଙ୍କ ମୃତ୍ୟୁ ହାର। ରିପୋର୍ଟ ଅନୁସାରେ ଭାରତରେ ୧୩.୭% ଲୋକ ଅପପୁଷ୍ଟିର ଶିକାର ହେଉଥିବା ବେଳେ ୩୫.୫% ଶିଶୁଙ୍କ ଉଚ୍ଚତା କମ, ୧୮.୭% ଶିଶୁଙ୍କ ଓଜନ କମ ଏବଂ ଶିଶୁ ମୃତ୍ୟୁ ହାର ୨.୯% । ୧ ଓ ୪ ନମ୍ବର ମାପକାଠିରେ ଭାରତର ଯଥେଷ୍ଟ ଅଗ୍ରଗତି ହୋଇଥିବା ବେଳେ ୨ ଓ ୩ ନମ୍ବର ମାପକାଠିରେ ସ୍ଥିତି ଉଦବେଗଜନକ ରହିଛି।
ମିଳିତ ଜାତିସଂଘର ୨୦୩୦ ବିକାଶ ଲକ୍ଷ୍ୟରେ ଦାରିଦ୍ର୍ୟ ଓ କ୍ଷୁଧାଦୂରୀକରଣକୁ ଏକ ନମ୍ବର ଲକ୍ଷରୂପେ ସ୍ଥାନ ଦିଆଯାଇଥିବାରୁ ଏହି ରିପୋର୍ଟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ।
ରିପୋର୍ଟକୁ ନେଇ ଭାରତକୁ ଏହାର ପଡୋଶୀ ଛୋଟ ଛୋଟ ରାଷ୍ଟ୍ର ସହ ତୁଳନା କରିବା ଠିକ ନୁହେ । କାରଣ ଭାରତର ଲୋକସଂଖ୍ୟା ୧୪୦ କୋଟି ହୋଇଥିବା ବେଳେ ଭାରତର ପଡୋଶୀ ରାଷ୍ଟ୍ର ମାନଙ୍କର ଲୋକସଂଖ୍ୟା ବହୁତ କମ । ତେବେ ଚୀନର ସ୍ଥିତି ଏହି ରିପୋର୍ଟରେ ଭଲ ଥିବାରୁ ଏହା ଭାରତ ପାଇଁ ଏକ ଚ୍ୟାଲେଞ୍ଜ ରୂପେ ବିଚାର କରାଯାଇପାରେ ।
ପୂର୍ବକାଳରେ ଭାରତ ଏହାର ସମସ୍ତ ଜନସାଧାରଣକୁ ଖାଦ୍ୟ, ଶସ୍ୟ କିପରି ପହଞ୍ଚାଇ ପାରିବ ସେଥିପ୍ରତି ଦୃଷ୍ଟି ଦେଇ ଉତ୍ପାଦନ ବୃଦ୍ଧି, ଖାଉଟି ବଣ୍ଟନ ବ୍ୟବସ୍ଥା, ଏଫସିଆଇ ଆଦି ବ୍ୟବସ୍ଥା କରି ସଫଳତା ପାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଦେଶରେ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଦିଗରେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରି ସଫଳତା ପାଇଥିଲେ । ଏବେ ଦେଶ ପାଇଁ ଆହ୍ୱାନ ହେଲା ସମସ୍ତ ନାଗରିକଙ୍କୁ କିପରି କ୍ୟାଲୋରୀ ଓ ପୃଷ୍ଟିଯୁକ୍ତ ଖାଦ୍ୟ ଯୋଗାଇ ହେବ । କେନ୍ଦ୍ର ସରକାର ୨୦୨୮ପର୍ଯ୍ୟନ୍ତ ମଗଲ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିବାକୁ ଘୋଷଣା କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସେହିପରି ପୋଷଣ ଅଭିଯାନ ଏବଂ ଫୋର୍ଟିଫାଏଡ ଚାଉଳ ଯୋଗାଇଦେବା ଏକ ଭଲ କାର୍ଯ୍ୟକ୍ରମ । ତେବେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାକୁ ଯେଉଁ ସ୍ବପ୍ନ ଦେଖିଛନ୍ତି ଏହାର ଲାଭ ସମସ୍ତଙ୍କ ପାଖରେ ପହଂଚିବା ପାଇଁ ପ୍ରଥମେ ଭାରତ କ୍ଷୁଧାମୁକ୍ତ ହେବ ଆବଶ୍ୟକ ।