କେନ୍ଦୁଝର: ଶାରଦୀୟ ଦୁର୍ଗାପୂଜା ଅବସରରେ ଶନିବାର ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶନିବାର ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ଏକ ସ୍ଵତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଆସି ଅପରାହ୍ନ ୫ଟାରେ ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପରେ ଅବତରଣ କରିବା ପରେ କାର ଯୋଗେ ସିଧା ସର୍କିଟ ହାଉସକୁ ଯାଇ କିଛି ସମୟ ବିଶ୍ରାମ ନେଇଥିଲେ ।
ଏହା ପରେ ୬ ଟାରେ ବାମପାରସ୍ଥିତ ସାଇ ମନ୍ଦିରକୁ ଯାଇ ସେଠାରେ ଠାକୁରଙ୍କୁ ଦର୍ଶନ କରିବା ପରେ ସେଠାରୁ ନିଉ କଲୋନୀ ସ୍ଥିତ ଦୁର୍ଗା ମଣ୍ଡପକୁ ଯାଇ ମା’ ଦୁର୍ଗାଙ୍କୁ ଦର୍ଶନ କରିଥିଲେ। ଏହାସହ ପୂଜା କମିଟି ସଦସ୍ୟଙ୍କ ସହ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ ।
ଏହା ପରେ ଟେଲିଫୋନ ଏକ୍ସଚେଞ୍ଜ ଛକ ଠାରେ ବଙ୍ଗାଳୀ ସମାଜ ପକ୍ଷରୁ ହୋଇଥିବା ଦୁର୍ଗା ମଣ୍ଡପକୁ ଯାଇ ମାଙ୍କୁ ଦର୍ଶନ କରି ଥିଲେ । ସେଠାରୁ ବୁଲାଦାର ସାହୀ ସ୍ଥିତ ଗୁଜରାଟି ସମାଜ ଦୁର୍ଗା ମଣ୍ଡପ ଠାରେ ପ୍ରାୟ ଦୁଇ ଘଣ୍ଟା ସମୟ ବିତେଇବା ପରେ ୯.୪୫ ରେ ସର୍କିଟ ହାଉସ ଫେରି ସେଠାରେ ରାତ୍ରୀ ଯାପନ କରିଥିଲେ ।
ସେହିପରି ରବିବାର ସକାଳ ୮ଟାରେ ସର୍କିଟ ହାଉସ ରୁ ପ୍ରଥମେ ତାଙ୍କ ନିଜ ଗାଁ ରାଇକଳା କୁ ଯାଇଥିବା ବେଳେ ସେଠାରେ କିଛି ଘଣ୍ଟା ରହିବା ପରେ ବିଭିନ୍ନ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ।