ଭୁବନେଶ୍ୱର: ରବିବାର ରାଜ୍ୟରୁ ଅପସାରଣ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ନେଇ ରାଜ୍ୟରେ ପାଗ ଅନୁକୂଳ ରହିଥିବା ପୂର୍ବାନୁମାନ କରିଥିଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ରବିବାରଠାରୁ ଏହା ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର କେତେକ ଜିଲ୍ଲାରୁ ମୌସୁମୀ ବାୟୁ ଅପସାରିତ ହୋଇଛି। ଚଳିତବର୍ଷ ସ୍ଵାଭାବିକ ସମୟର ଦୁଇଦିନ ପୂର୍ବରୁ ମୌସୁମୀ ଫେରିଥିବା ସୂଚନା ମିଳିଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ଓ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ସହ ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମର ଅନେକ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଏଥିସହ ନୂଆପଡା ଓ କଳାହାଣ୍ଡିର କିଛି ଅଂଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହାସହ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।