ସୋମବାର ଧରାପୃଷ୍ଠରୁ ମେଲାଣି ନେବେ ଜଗତ ଜନନୀ ମା’ ଦୁର୍ଗା। ଏହି ପରିପ୍ରେକ୍ଷୀରେ ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଆୟୋଜନ କରିଥିବା ବେଳେ ଶୋଭାଯାତ୍ରା ସମୟରେ ପ୍ରବଳ ଜଣଗହଳିକୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ୍ ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୁଲିସ୍।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଓ କଟକରେ ଭସାଣି ପାଇଁ କଟକଣା ଜାରି ହୋଇଥିବା ବେଳେ ଦିନ ୩ଟାରୁ ଭସାଣି ଶେଷ ହେବା ଯାଏ ଏହି କଟକଣା ବଳବତ୍ତର ରହିବା ନେଇ ସୂଚନା ଦିଆଯାଇଛି। ସହିଦ ନଗର ଭସାଣ ବେଳେ କୌଣସି ଯାନବାହନ ଭୁବନେଶ୍ୱର ବାଣୀବିହାର ପଟୁ ରୂପାଲି ଛକ ଆଡ଼କୁ ଯାଇପାରିବେ ନାହିଁ। ଏହି ସମୟରେ ଯାନବାହାନ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ ବୋଲି କୁହାଯାଇଛି। ସେହିପରି ଜନପଥ ରାସ୍ତାରେ ଯାନବାହନ ଚଳାଚଳ ପାଇଁ କଟକଣା ରହିଥିବା ବେଳେ ନୟାପଲ୍ଲୀ ଭସାଣି ବେଳେ ସିଆରପିରୁ କଟକ ଯାଉଥିବା ଯାନବାହନ ଗୁଡ଼ିକ ଏକାମ୍ର ପାର୍କ,ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ବାଟରେ ଯାଇପାରିବେ।ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ଛକରୁ ନାଲକୋ ଛକକୁ କୌଣସି ଯାନବାହାନ ଚଳାଚଳ ପାଇଁ ଅନୁମତି ନଥିବା ବେଳେ ଖୋର୍ଦ୍ଧା ପଟୁ ଆସୁଥିବା ଭାରି ଯାନ ଗୁଡ଼ିକ ଫାୟାର ଷ୍ଟେସନ୍ ଛକ ଠାରୁ ଫ୍ଲାଏ ଓଭର ବ୍ରିଜ ଦେଇ ଯାଇପାରିବେ।
ସେହିପରି କଟକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିବା ସୂଚନା ମିଳିଛି । କଲେଜ ଛକଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାନବାହନ ଯାତାୟତ ଉପରେ କଟକଣା ଜାରି କରାଯାଇଥିବା ବେଳେ ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ କରିପାରିବ ନାହିଁ । ଏଥିସହିତ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ।