ଗୁଜୁରାଟ: ସୋମବାର ଗୁଜୁରାଟରୁ ଜବତ ହୋଇଛି ବିପୁଳ ପରିମାଣର କୋକେନ। ଗୁଜରାଟସ୍ଥିତ ଅଙ୍କଲେଶ୍ୱର ସିଟିରୁ ସ୍ୱତନ୍ତ୍ର ଜଏଣ୍ଟ ଅପରେସନ ମାଧ୍ୟମରେ ପୋଲିସ୍ ୫ ହଜାର କୋଟି ଟଙ୍କାର କୋକେନ ଜବତ କରିଛି। ଦିଲ୍ଲୀ ଓ ଗୁଜରାଟ ପୋଲିସ ପକ୍ଷରୁ ମିଳିତ ଭାବେ ଅଙ୍କେଲଶ୍ୱର ଠାରେ ଥିବା ଆଭକାର ଡ୍ରଗ୍ସ ଲିଃ କମ୍ପାନୀ ଉପରେ ଚଢ଼ାଉ ହୋଇଥିଲା। ଏହି ସମୟରେ ସେଠାରୁ ୫୧୮ କେଜି ଓଜନର କୋକେନ ମିଳିଛି। ତେବେ ଜବତ ହୋଇଥିବା କୋକେନର ବଜାର ମୂଲ୍ୟ ପ୍ରାୟ ୫ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ପ୍ରକାଶଯୋଗ୍ୟ ଯେ, ନିକଟରେ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ସେଲ୍ ଦିଲ୍ଲୀରୁ ୨ଟି ଅପରେସନ ଜରିଆରେ ୭୦୦ କେଜିରୁ ଅଧିକ ଓଜନର କୋକେନ ଜବତ କରିଥିଲା। ସେହିପରି ଅକ୍ଟୋବର ୧ରେ ଦକ୍ଷିଣ ଦିଲ୍ଲୀର ମହିପାଲପୁରରୁ ୫୦୦ କେଜି ଓଜନର କୋକେନ ମିଳିବା ପରେ ରମେଶ ନଗର ଅଞ୍ଚଳରେ ରେଡ କରି ଆଉ ୨୦୦ କେଜି ଓଜନର କୋକେନ ଜବତ କରିଥିଲା। ତଦନ୍ତରୁ ଏହି କୋକେନ ଫାର୍ମା ସଲ୍ୟୁସନ ସର୍ଭିସେସ ନାମକ ଏକ କମ୍ପାନୀର ବୋଲି ସୂଚନା ମିଳିଥିଲା। ଏହାପରେ ଫାର୍ମା ସଲ୍ୟୁସନ ସର୍ଭିସେସ
କମ୍ପାନୀ ଗୁଜରାଟର ଆଭକାର ଡ୍ରଗ୍ସ ଲିଃ ଏହି କୋକେନ ପଠାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ୍ ଗୁଜରାଟ ପୁଲିସ୍ ସହ ଯୋଗାଯୋଗ କରିଥିଲା। ତେବେ ଉଭୟ ରାଜ୍ୟର ପୋଲିସ୍ ମିଳିତ ଭାବେ ଅପରେସନ କରି ଆଜି କମ୍ପାନୀ ପରିସରରୁ ୫୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିବା ସୂଚନା ମିଳିଛି।