ଜେରୁଜେଲମ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ଗାଜାରେ ହମାସ ବିରୋଧରେ ନିଜର ଆକ୍ରମଣକୁ ଅଧିକ ଶାଣିତ କରିବାକୁ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତଦନୁଯାୟୀ ଉତ୍ତର ଗାଜାରେ ଥିବା ଆତଙ୍କବାଦୀମାନେ ଆତ୍ମସମର୍ପଣ କରନ୍ତୁ ଅଥବା ଭୋକରେ ରହନ୍ତୁ ଯୋଜନା ଚୂଡାନ୍ତ ହୋଇଛି । ଏଥିପାଇଁ ଉତ୍ତର ଗାଜାକୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ବନ୍ଦ କରିଦିଆଯିବ । ଇସ୍ରାଏଲ ସଂସଦରେ ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ଘୋଷଣା କରିଛନ୍ତି ।
ରବିବାର ନେତାନ୍ୟାହୁ କହିଛନ୍ତି, ଉତ୍ତର ଗାଜାର ଜବାଲିଆ ଅଞ୍ଚଳରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଅଧିକ କଡାକଡି ହେବାକୁ ଯାଉଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଜନସାଧାରଣଙ୍କୁ ଉତ୍ତର ଗାଜା ଛାଡି ଦକ୍ଷିଣକୁ ଚାଲିଯିବାକୁ ନିବେଦନ କରିଛି । କାରଣ ଉକ୍ତ ଅଞ୍ଚଳକୁ ଯୋଗାଇ ଦିଆଯାଉଥିବା ମାନବୀୟ ସହାୟତାରୁ ହମାସ ଆତଙ୍କବାଦୀ ଗୋଷ୍ଠୀ ଫାଇଦା ଉଠାଉଥିବା ଆଇଡିଏଫ ଅନୁମାନ କରୁଛି । ଜନସାଧାରଣ ଉକ୍ତ ଅଞ୍ଚଳ ଛାଡିଦେଲେ ସେଠାକୁ ଉକ୍ତ ସହାୟତାକୁ ବନ୍ଦ କରିଦିଆଯିବ, ଯଦ୍ଦ୍ୱାରା ହମାସ ଆତଙ୍କୀ ଗୋଷ୍ଠୀ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେବେ ବୋଲି ଇସ୍ରାଏଲ ମନେକରୁଛି । ଆଇଡିଏଫ କହିଛି, ଏଥିପାଇଁ ସମୟ ଦିଆଯିବ ଏବଂ ତାହା ପରବର୍ତ୍ତୀ ସମୟରେ ଯେଉଁମାନେ ସେଠାରେ ରହିବେ ସେମାନଙ୍କୁ ଯୁଦ୍ଧଘୋର ବୋଲି ବିବେଚନା କରାଯିବ । ଏହାପରେ ଉକ୍ତ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରାଯିବ ଏବଂ ଇସ୍ରାଏଲ ସେନା ହମାସ ଆତଙ୍କୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ଏହାକୁ ନେଇ ମାନବାଧିକାର ଗୋଷ୍ଠୀଗୁଡିକ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଏହାଦ୍ୱାରା ସାଧାରଣ ନାଗରିକ ଗୁରୁତର ଭାବରେ ପ୍ରଭାବିିତ ହେବେ ଏବଂ ଏହାଦ୍ୱାରା ଆନ୍ତର୍ଜାତିକ ଆଇନ ଉଲ୍ଲଘଂନ ହେବା ଆଶଙ୍କା ପ୍ରକାଶ କରିଛନ୍ତି ମାନବାଧିକାର କର୍ମୀ ।