ଲେହ: ଭାରତ ଓ ଚୀନ ମଧ୍ୟରେ ୨୦୨୦ରେ ବିବାଦର ଅନ୍ୟତମ କେନ୍ଦ୍ରସ୍ଥଳ ପାଲଟିଥିବା ପାଙ୍ଗଙ୍ଗ ହ୍ରଦ ନିକଟରେ ଚୀନ ପକ୍ଷରୁ ବ୍ୟାପକ ନିର୍ମାଣ କାର୍ଯ୍ୟ ଚାଲିଥିବା ଉପଗ୍ରହ ଚିତ୍ରରୁ ଜଣାଯାଇଛି । ଏହାକୁ ନେଇ ସୀମାନ୍ତରେ ଚୀନ କିଭଳି ଦ୍ରୁତଗତିରେ ଭିତ୍ତିଭୂମି ନିର୍ମାଣ କରୁଛି ତାହା ପଦାକୁ ଆସିଛି । ଦୁଇ ଦେଶ ସୀମାନ୍ତରେ ଲାଗିରହିଥିବା ବିବାଦ ସମାଧାନ କରିବାକୁ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଥିବାବେଳେ ତାଜା ଉପଗ୍ରହ ଚିତ୍ର ଭାରତର ଚିନ୍ତା ବଢାଇ ଦେଇଛି । ଏହି ଉପଗ୍ରହ ଚିତ୍ରରୁ ଜାଣିବାକୁ ମିଳିଛି ଯେ ପାଙ୍ଗଙ୍ଗ ସୋ ହ୍ରଦର ଉତ୍ତର ତଟ ନିକଟରେ ଚୀନ ପକ୍ଷରୁ ବୃହତ ବସତି ନିର୍ମାଣ ଚାଲିଛି । ଏହା ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ସ୍ଥଳରୁ ପ୍ରାୟ ୩୮ କିଲୋମିଟର ଦୂରରେ ଅବସ୍ଥିତ ।
ଅକ୍ଟୋବର ୯ ତାରିଖରେ ଉତ୍ତୋଳନ କରାଯାଇଥିବା ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି ଯେ ଚୀନ ସେଠାରେ ପ୍ରାୟ ୧୭ ହେକ୍ଟର ପରିମିତ ଅଞ୍ଚଳରେ ଦ୍ରୁତ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ସମୁଦ୍ର ପତନଠାରୁ ପ୍ରାୟ ୪୩୪୭ ମିଟର ଉଚ୍ଚତାରେ ଏହା ୟେମାଗୁ ସଡ଼କ ନିକଟରେ ରହିଛି । ଉକ୍ତ ସ୍ଥାନରେ ବୃହତ ମାଟି ଉତ୍ତୋଳନ ଓ ନିର୍ମାଣ ଯନ୍ତ୍ରପାତି ଚଳାଚଳ କରୁଛି । ଆବାସିକ କୋଠା ଓ ବୃହତ ପ୍ରଶାସନିକ କୋଠା ସହିତ ପ୍ରାୟ ୧୦୦ରୁ ଅଧିକ କୋଠା ନିର୍ମାଣ କରାଯାଉଥିବା ଏକ ସୂତ୍ରରୁ ଜାଣିବାକୁ ମିଳିଛି । ସେଥିମଧ୍ୟରେ ଏକମହଲା ଓ ଦୁଇ ମହଲା ଘର ରହିଛି । ତାହାସହିତ ଖାଲି ସ୍ଥାନ ମଧ୍ୟ ଛଡାଯାଇଛି, ଯାହାକୁ ଭବିଷ୍ୟତରେ ଉଦ୍ୟାନ ଅଥବା କ୍ରୀଡା କାର୍ଯ୍ୟକ୍ରମ ପାଇଁ ରଖାଯାଇଥିବା ମନେ କରାଯାଉଛି । ଉପଗ୍ରହରୁ ସଂଗୃହୀତ ଚିତ୍ରରୁ ଜଣାଯାଇଛି ଯେ ୨୦୨୪ ଏପ୍ରିଲରୁ ସେଠାରେ ନିର୍ମାଣ ଆରମ୍ଭ ହୋଇଛି । ଉକ୍ତ ନିର୍ମାଣ କାର୍ଯ୍ୟ ସୁଉଚ୍ଚ ପର୍ବତ ଆଢୁଆଳରେ ରହିଥିବାରୁ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ନଜର ତାହା ଉପରେ ପଡିପାରୁନାହିଁ । ତାହାସହିତ ଭାରତ ପଟୁ ସ୍ଥଳଭାଗରୁ ତାହା ଉପରେ ସତର୍କ ଦୃଷ୍ଟି ରଖିବା ମଧ୍ୟ ସମ୍ଭବ ହେଉନାହିଁ । ଭାରତର କିଛି ସାମରିକ ବିଶେଷଜ୍ଞଙ୍କ ବିଶ୍ୱାସ ଯେ ଉକ୍ତ ସ୍ଥାନକୁ ଯଦି ସାମରିକ ଉଦେ୍ଦଶ୍ୟରେ ଚୀନ ବ୍ୟବହାର କରେ ତେବେ ତାହା ଅସ୍ଥାୟୀ ଆଗୁଆ ଘାଟି ଭାବରେ ବ୍ୟବହାର ହୋଇପାରେ ।