ନୂଆଦିଲ୍ଲୀ: ଗୁଗଲ କ୍ରୋମ ଏବଂ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମରେ ରହିଥିବା ଅତୁ୍ୟଚ୍ଚ ବିପଦ ଆଶଙ୍କା ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ଏହାର ବ୍ୟବହାରକାରୀଙ୍କ ନିମନ୍ତେ ସତର୍କ ସୂଚନା ଜାରି କରାଯାଇଛି । ଏହାର ବ୍ୟବହାରକାରୀ କୋଣସି ପ୍ରକାର ସମ୍ଭାବ୍ୟ ସାଇବର ବିପଦକୁ ଏଡାଇବା ନିମନ୍ତେ ତୁରନ୍ତ ସେମାନଙ୍କ ସିଷ୍ଟମ୍କୁ ଅପଡେଟ କରାଇନେବାକୁ ପରାମର୍ଶ ଦିଆଯାଇଛି । ଇଣ୍ଡିଆନ କମ୍ପୁ୍ୟଟର ଏମର୍ଜେନ୍ସି ରେସପନ୍ସ ଟିମ୍ (ସିଇଆରଟି-ଆଇଏନ୍) ପକ୍ଷରୁ କୁହାଯାଇଛି ଯେ ଏକାଧିକ ଆପଦ ଚିହ୍ନଟ କରାଯାଇଛି ଯାହା ଜରିଆରେ ହ୍ୟାକରମାନେ ସିଷ୍ଟମକୁ ନିଜ ନିୟନ୍ତ୍ରଣକୁ ନେବା ଆଶଙ୍କା ରହିଛି । ସିଇଆରଟି-ଆଇଏନ ଏହାର ମୁକାବିଲଶ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଏହି ଅପରେଟିଂ ସିଷ୍ଟମ ବ୍ୟବହାରକାରୀଙ୍କୁ ନିବେଦନ କରିଛି ।
ଏହା କହିଛି ଯେ ଏଭଳି ବିପଦ ଆଣ୍ଡ୍ରଏଡ ଏବଂ କ୍ରୋମର ବିବିଧ ସଂସ୍କରଣରେ ରହିଛି ଯଦ୍ଦ୍ୱାରା ନିୟୁତାଧିକ ଡିଭାଇସ ପ୍ରତି ବିପଦ ଦେଖାଦେଇଛି । ସରକାରଙ୍କ ସାଇବର ନିରାପତ୍ତା ଟିମ୍ କହିବା ଅନୁଯାୟୀ ଉଭୟ ଆଣ୍ଡ୍ରଏଡ ଏବଂ କ୍ରୋମକୁ ନେଇ ରହିଥିବା ଆପଦକୁ ପ୍ରାଥମିକ ସ୍ତରରେ ବିଦ୍ୱେଷପୂର୍ଣ୍ଣ ୱେବସାଇଟ ଅଥବା ଆପ୍ଲିକେସନଗୁଡିକ ଜରିଆରେ ଅପବ୍ୟବହାର କରାଯାଇପାରିବ । ଗୁଗଲ କ୍ରୋମ୍ରେ ଲେଆଉଟ ଫିଚର ପ୍ରଭାବିତ ହେବା ସହିତ ଭି୮ ଜାଭାସ୍କ୍ରିପ୍ଟ ଇଞ୍ଜିନ ଠିକରେ କାମ ନକରିା, ଭି୮ରେ ଦ୍ୱନ୍ଦ୍ୱ ଦେଖାଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଅନୁରୂପ ଭାବରେ ଆଣ୍ଡ୍ରଏଡରେ ଫ୍ରେମୱର୍କ, ସିଷ୍ଟମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଅଂଶ ଗୁରୁତର ଭାବରେ ପ୍ରଭାବିତ ହେବା ଆଶଙ୍କା ରହିଛି ।