ଭୁବନେଶ୍ବର: ସୋମବାର କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି ପଞ୍ଚମ ଜାତୀୟ ଜଳ ପୁରସ୍କାର। ଜଳ ସଂରକ୍ଷଣ କ୍ଷେତ୍ରରେ ୪ଟି ବର୍ଗକୁ ନେଇ ଏହି ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସବୁ କ୍ଷେତ୍ରରେ ନମ୍ବର ୱାନରେ ଅଛି ଓଡ଼ିଶା । ଜଳ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ ପାଇଁ ଓଡ଼ିଶାକୁ ଏହି ମାନ୍ୟତା ମିଳିଛି । ଏଥିସହିତ ଶ୍ରେଷ୍ଠ ଜିଲ୍ଲା ଭାବେ ବଲାଙ୍ଗୀର, ଶ୍ରେଷ୍ଠ ସହରାଞ୍ଚଳ ସଂସ୍ଥା ପୁରୀ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ମୟୂରଭଞ୍ଜର ଖଇରବାଣି ଆଶ୍ରମ ସ୍କୁଲକୁ ଚୟନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ସୋମବାର କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର ପାଟିଲ ଜାତୀୟ ଜଳ ଶକ୍ତି ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ଶ୍ରମଶକ୍ତି ଭବନଠାରେ ଆୟୋଜିତ ହୋଇଥିବା ବେଳେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶା ପ୍ରଥମ ସ୍ଥାନରେ, ଉତ୍ତର ପ୍ରଦେଶ ଦ୍ୱିତୀୟ ସ୍ଥାନରେ, ଗୁଜରାଟ ଏବଂ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ରେ ରହିଛନ୍ତି । ତେବେ ବିଜୟୀ ହୋଇଥିବା ପ୍ରତ୍ୟେକ ରାଜ୍ୟକୁ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।
ପ୍ରକାଶଥାଉ କି, ଜଳ ଶକ୍ତି ମନ୍ତ୍ରାଳୟ ଜାତୀୟ ସମ୍ପତ୍ତି ଭାବରେ ଜଳ ସଂରକ୍ଷଣ, ଜଳ ପରିଚାଳନା ପାଇଁ ନିୟମାବଳୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାର ଦାୟିତ୍ବ କେନ୍ଦ୍ର ଜଳ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ବେଳେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ଜରିଆରେ ଜଳର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା ତଥା ସର୍ବୋତ୍ତମ ଜଳ ବ୍ୟବହାର ପଦ୍ଧତି ଗ୍ରହଣ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ।