ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ସୋମବାର ଓ ମଙ୍ଗଳବାର ପର୍ଯ୍ୟନ୍ତ ଓଡ଼ିଶାର ବିଭନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଏହା ପୁରୀଠାରୁ ୧୧୦ କି.ମି ଦୂରରେ, ଗୋପାଳପୁରଠାରୁ ୧୫୦ କି.ମି ଓ ପାରାଦୀପଠାରୁ ୧୬୦ କି.ମି ଦୂରରେ କେନ୍ଦ୍ରୀଭୂତ ହେଉଛି। ଏହି ଗଭୀର ଅବପାତ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ପୁରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ବର୍ଷା ଜାରି ରହିବା ସହିତ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୩ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର, କଳାହାଣ୍ଡି, ବଲାଙ୍ଗୀର ଓ ଗଜପତି ଜିଲାକୁ ସତର୍କତା ଜାରି କରାଯାଇଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ ଓ୍ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଓ ୧୬ଜିଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ସମସ୍ତ ଜିଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।