ବାୟୁ ପ୍ରଦୂଷଣକୁ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦେଶ
ନୂଆଦିଲ୍ଲୀ,୧୬ା୧୦: ରାଜଧାନୀ ଦିଲ୍ଲୀ ସମେତ ପଡୋଶୀ ପଞ୍ଜାବ, ହରିୟାଣାରେ ବାୟୁ ପ୍ରଦୂଷଣ ବୃଦ୍ଧି ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ରାଜ୍ୟର ସରକାରୀ ଅଧିକାରୀଙ୍କ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାୟୁ ମାନ ପରିଚାଳନା କମିଶନଙ୍କୁ ନିର୍ଦେଶ ଦେଇଛନ୍ତି । ତତ୍ସହିତ ହରିୟାଣା ମୁଖ୍ୟ ଶାସନସଚିବଙ୍କ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହେବାକୁ ଆଦେଶନାମା ଜାରି କରିଛନ୍ତି । ଜମିରେ ନଡା ଜଳାଯିବା ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଉଭୟ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ସତର୍କ କରାଇଦେବା ସହିତ କହିଛନ୍ତି, ଏହି ସମସ୍ୟାର ସମାଧାନ ନିମନ୍ତେ ସେମାନେ କୋ÷ଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରିନାହାନ୍ତି । ବାୟୁ ମାନ ପରିଚାଳନା କମିଶନ (ସିଏକୁ୍ୟଏମ) ଦେଇଥିବା ନିର୍ଦେଶନାମାକୁ ସେମାନେ ପୂର୍ଣ୍ଣ ଅବମାନନା କରିଛନ୍ତି । ହରିୟାଣା ପକ୍ଷରୁ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି ସେଥିରେ ବାୟୁ ପ୍ରଦୂଷଣ ପରିଚାଳନା ନିର୍ଦେଶନାମାକୁ ଅନୁପାଳନ କରାଯାଇନଥିବା ଲକ୍ଷ୍ୟ କରାଯାଉଛି । କମିଶନ ଧାରା ୧୪ ଅଧିନରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କମିଶନଙ୍କୁ ନିର୍ଦେଶ ଦେଇଛନ୍ତି । ତାହାସହିତ ହରିୟାଣା ମୁଖ୍ୟ ଶାସନସଚିବ ବ୍ୟକ୍ତିଗତ ଭାବରେ ଆଗାମୀ ବୁଧବାର ଅଦାଲତରେ ଉପସ୍ଥିତ ରହିବାକୁ ଜଷ୍ଟିସ ଏଏସ୍ ଓକା ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ବାୟୁ ମାନ ପରିଚାଳନା କମିଶନଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦେଶଗୁଡିକ ନ୍ୟାସନାଲ କ୍ୟାପିଟାଲ ରିଜନ (ଏନସିଆର) ଅଞ୍ଚଳରେ ଅନୁପାଳନ କରାଯାଉନଥିବା ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏପରିକି ସର୍ବୋଚ୍ଚ ନ୍ୟାୟାଳୟ କମିଶନ କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ତାଙ୍କୁ ସମାଲୋଚନା କରିଛନ୍ତି ।