ବାଲିଗୁଡ଼ା: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବଜାରରେ ଏକ ଘରୋଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ ନିମ୍ନ ମାନର କ୍ଷୀର, ଦହି, ପନିର ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଉକ୍ତ କମ୍ପାନୀ ଦ୍ୱାରା ପ୍ରସ୍ତୁତ କ୍ଷୀର, ଦହି, ପନିରରୁ ଦୁର୍ଗନ୍ଧ ବାହାରିବା ସହିତ ଏହାକୁ ଖାଇଲେ ପିଲାଙ୍କ ପେଟ କାଟୁଛି ଓ ସ୍ୱାସ୍ଥ୍ୟ ଖରାପ ହେଉଛି ବୋଲି ଦୋକାନୀଙ୍କ ନିକଟରେ ଗ୍ରାହକଙ୍କ ଅଭିଯୋଗ ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୋପସ୍ଥିତ ଉକ୍ତ କମ୍ପାନୀରେ ପହଞ୍ଚି ତଦାରଖ କରିଥିଲେ ଏବଂ ଏହାର ମାନ ପରୀକ୍ଷଣ ପାଇଁ ନମୁନା ନେଇ ଯାଇଥିଲେ। ତଦନ୍ତ ପରେ ଆଇନ୍ ଅନୁଯାୟୀ କାର୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ସୂଚନା ପ୍ରକାରେ ବାଲିଗୁଡା ନୂଆସାହିର ସୂର୍ୟ୍ୟକାନ୍ତ ନାୟକ ଉକ୍ତ କମ୍ପାନୀର ପନିର ବାଲିଗୁଡା ବସଷ୍ଟାଣ୍ଡରୁ କିଣିଥିଲେ , ସେଥିରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ଖାଉଟି ଓ ଯୋଗାଣ ବିଭାଗ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।