ସୁନ୍ଦରଗଡ: ମିଳିତ ଜାତିସଂଘ ଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଅକ୍ଟୋବର ୧୬ ତାରିଖ ଦିନ ଖାଦ୍ୟ ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସେବକ’, ରଙ୍ଗିଆମୁଣ୍ଡା ତରଫରୁ ଏହାର ଅଧ୍ୟକ୍ଷ ଅମୀୟକାନ୍ତ ନାଏକଙ୍କ ସଭାପତିତ୍ଵରେ ଏକ ସ୍ଵତନ୍ତ୍ର କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ସେବକର ବିଭିନ୍ନ ଜିଲ୍ଲା ଓ କ୍ଷେତ୍ର କାର୍ୟ୍ୟ।ଳୟର କର୍ମକର୍ତ୍ତା ପ୍ରତ୍ୟକ୍ଷ ଓ ଭର୍ଚୁଆଲ ମାଧ୍ୟମରେ ଯୋଗଦାନ କରିଥିଲେ। ଅଧ୍ୟକ୍ଷ ଅମୀୟକାନ୍ତ ନାଏକ ସ୍ଵାଗତ ଅଭିଭାଷଣ ଦେଇ ବିଶ୍ଵ ଖାଦ୍ୟ ଦିବସରେ ଆମେ ସମସ୍ତେ ଖାଦ୍ୟ ନଷ୍ଟ ନକରିବାକୁ ଶପଥ ନେବା ଏବଂ ସମସ୍ତ ପୃଥିବୀରେ ରହୁଥିବା ଜୀବଙ୍କୁ ଆମ କୁଟୁମ୍ବ ଭାବି ସମସ୍ତଙ୍କ ଦୁଃଖ ସୁଖରେ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଏକ ଉନ୍ନତ ଜୀବନ ଓ ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ଖାଦ୍ୟ ଅଧିକାର ବିଷୟରେ ସେବକର କୃଷି ପରାମର୍ଶଦାତା ଉଦିତ କୁମାର ନାଏକ ଆଲୋଚନା କରିଥିଲେ। ପରିବେଶର ସୁରକ୍ଷା ସହିତ ଜୈବିକ ଉପାୟରେ ବିଷମୁକ୍ତ ଫସଲ ଉତ୍ପାଦନ, ସମନ୍ୱିତ କୃଷି, ଅଣଧାନ ଫସଲ, ପୁଷ୍ଟିଶସ୍ୟ ଫସଲ ଚାଷ, ମିଶ୍ରିତ ଫସଲ ଚାଷ କରି ଚାଷୀର ଆୟ ଦ୍ଵିଗୁଣିତ କରିବାକୁ ଉଦିତ ନାଏକ ପରାମର୍ଶ ଦେଇଥିଲେ। ସେବକର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ସଞ୍ଜୁ ପଟେଲ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁଷମ ଖାଦ୍ୟ ଯୋଗାଣ, ଖାଦ୍ୟନଷ୍ଟ ନ କରିବା, କ୍ଷୁଧା ମୁକ୍ତ ଓ ଦାରିଦ୍ର୍ୟ ମୁକ୍ତ ସମାଜ ଗଠନ ପାଇଁ ଗୁରୁତ୍ଵ ଦେବାକୁ କହିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ୟ୍ୟକ୍ରମ ସମାପ୍ତ କରାଯାଇଥିଲା।