ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ଆସନ୍ତା ନଭେମ୍ବର ୧୦ ତାରିଖରେ ଅବସର ଗ୍ରହଣ କରିବା ପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଆସନ୍ତା ମାସ ୧୦ ତାରିଖରେ ଅବସର ଗ୍ରହଣ କରିବା ପରେ ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୬ ମାସ ହୋଇଥିବା ବେଳେ ସେ ଆସନ୍ତା ବର୍ଷ ମେ ୧୩ରେ ଅବସର ଗ୍ରହଣ କରିବେ ।
ପ୍ରକାଶଥାଉ କି, ୧୯୮୩ ମସିହାରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା । ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲା କୋର୍ଟରେ ଓକିଲ ଭାବେ ଅଭ୍ୟାସ କରିବା ପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି ଓ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ଏହାପରେ ‘ଆମିକସ କ୍ୟୁରି’ ଭାବେ କାର୍ଯ୍ୟ କରିବା ପରେ ୨୦୦୫ ମସିହାରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ। ୨୦୦୬ ମସିହାରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ଏହାପରେ ୨୦୧୯ ମସିହା ଠାରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇ କାର୍ଯ୍ୟ କରିଆସୁଛନ୍ତି । ୨୦୨୩ ମସିହା ଜୁନ୍ ୧୭ ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ସେ ସର୍ବୋଚ୍ଚ ନ୍ୟାୟାଳୟର ବିଧିକ ସେବା ସମିତିର ଅଧ୍ୟକ୍ଷ ଥିଲେ ।