ନୂଆଦିଲ୍ଲୀ,୧୭ା୧୦: ନାଗରିକତା ଆଇନର ଧାରା ୬ଏର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟର ଚାରିଜଣ ବିଚାରପତିଙ୍କୁ ନେଇ ଗଠିତ ପୀଠ ଏହି ରାୟ ଶୁଣାଇଥିବାବେଳେ ଜଷ୍ଟିସ ପରଦିୱାଲା ଏହି ପ୍ରସଙ୍ଗରେ ଭିନ୍ନ ମତ ରଖିଥିଲେ । ଫଳରେ ୪:୧ ବହୁମତରେ ନାଗରିକତା ଆଇନ, ୧୯୫୫ର ଧାରା ୬ଏ’ର ସାମ୍ବିଧାନିକ ବୈଧତାକୁ କାଏମ ରଖିଥିଲେ । ଏହି ଧାରାରେ ସେହି ପ୍ରବାସୀଙ୍କୁ ନାଗରିକତା ଅନୁମତି ପ୍ରଦାନ କରାଯାଉଛି ଯେଉଁମାନେ ୧୯୬୬ ଜାନୁଆରୀ ୧ରୁ ୧୯୭୧ ମାର୍ଚ୍ଚ ୨୫ ତାରିଖ ମଧ୍ୟରେ ଆସାମକୁ ପ୍ରବେଶ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଅନ୍ୟ ତିନିଜଣ ବିଚାରପତି ଏହି ଧାରାର ବୈଧତାକୁ କାଏମ ରଖିଛନ୍ତି ।
ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଥିଲେ ଯେ ବାଂଲାଦେଶ ସୃଷ୍ଟି ପରେ ବେଆଇନ ସ୍ଥାନାନ୍ତରକାରୀ ସମସ୍ୟାର ରାଜନୈତିକ ସମାଧାନ ନିମନ୍ତେ ଆସାମ ଚୁକ୍ତି ଏବଂ ବୈଧାନିକ ସମାଧାନ ନିମନ୍ତେ ଧାରା ୬ଏ ଉଦ୍ଦିଷ୍ଟ ଥିଲା । ସର୍ବୋଚ୍ଚ ନ୍ୟାୟାଳୟର ସଂଖ୍ୟାଗରିଷ୍ଠ ବିଚାରପତି ଦର୍ଶାଇଥିଲେ ଯେ ଏହି ଧାରା ଲାଗୁ କରିବା କ୍ଷେତ୍ରରେ ସଂସଦର ଆଇନଗତ କ୍ଷମତା ରହିଛି । ସୂଚନାଯୋଗ୍ୟ ଯେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ବିରୋଧରେ ଛଅବର୍ଷ ଧରି ବିକ୍ଷୋଭ ପରେ ରାଜୀବ ଗାନ୍ଧୀ ସରକାର ଏବଂ ଅଲ ଆସାମ ଷ୍ଟୁଡେଣ୍ଟସ୍ ୟୁନିୟନ (ଏଏଏସୟୁ) ମଧ୍ୟରେ ଆସାମ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଏବଂ ୧୯୮୫ରେ ସେଥିରେ ଧାରା ୬ଏ ଯୋଗ କରାଯାଇଥିଲା ।