ୱାଶିଂଟନ: ମେଟା ନିକଟରେ ତାହାର ବିଭିନ୍ନ ପ୍ଲାଟଫର୍ମରେ କର୍ମଚାରୀ ସଂଖ୍ୟା ହ୍ରାସ କରିଛି । କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଛି ନିର୍ଦିଷ୍ଟ ଟିମ୍ ପୁନର୍ଗଠନ ଉଦେ୍ଦଶ୍ୟରେ ଏଭଳି କର୍ମଚାରୀ ସଂଖ୍ୟା ହ୍ରାସ ନିମନ୍ତେ ପଦକ୍ଷେପ ନିଆଯାଇଛି । ସେଥିମଧ୍ୟରେ ଇନଷ୍ଟାଗ୍ରାମ, ହ୍ୱାଟସ୍ଆପ ଏବଂ ରିଅଲିଟି ଲାବ୍ ଆଦି ଗ୍ରୁପ୍ କମ୍ପାନୀ ଅନ୍ତର୍ଭୁକ୍ତ । ମେଟା ମୁଖପାତ୍ର ଡାଭେ ଆରନୋଲ୍ଡ କହିଛନ୍ତି, କମ୍ପାନୀ ତାହାର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ନିମନ୍ତେ ସମ୍ବଳ ପୁନଃ ଆବଣ୍ଟନ କରୁଛି । ସେ ଜୋର ଦେଇ କହିଥିଲେ ଯେ କୋଣସି ପଦ ଯେତେବେଳେ ଉଚ୍ଛେଦ କରାଯାଉଛି, ସେତେବେଳେ କମ୍ପାନୀ ପ୍ରଭାବିତ କର୍ମଚାରୀଙ୍କ ପାଇଁ ବିକଳ୍ପ ସୁଯୋଗ ଖୋଜିବାକୁ ପାରୁପର୍ଯ୍ୟନ୍ତ ପ୍ରଚେଷ୍ଟା କରୁଛି । ତେବେ ଚଳିତ ଥର ମେଟା କେତେସଂଖ୍ୟକ କର୍ମଚାରୀ ହ୍ରାସ କରିଛି ତାହା ଜଣାନଥିଲେ ମଧ୍ୟ ଅଳ୍ପ କିଛି କର୍ମଚାରୀ ଅନ୍ଲାଇନରେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ବିଗତ କିଛିଦିନ ମଧ୍ୟରେ ମେଟା ତାହାର କର୍ମଚାରୀ ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି । କାରଣ କୋଭଡ ମହାମାରୀ ସମୟରେ ଏହା ବହୁ ସଂଖ୍ୟାରେ ନିଯୁକ୍ତି ଦେଇଥିଲା ।
୨୦୨୨ରେ କମ୍ପାନୀ ତାହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୩ ପ୍ରତିଶତଙ୍କୁ ବାହାର କରିଥିଲା, ଯେଉଁ ସଂଖ୍ୟା ପ୍ରାୟ ୧୧ହଜାର ହେବ । ସେଥିପାଇଁ ଏହାର ସିଇଓ ମାର୍କ ଜୁକରବର୍ଗ ବ୍ୟକ୍ତିଗତ ଦାୟିତ୍ୱ ନେଇଥିଲେ । ପରେ କମ୍ପାନୀ ୨୦୨୩ରେ ଆଉ ୧୦ ହଜାର କର୍ମଚାରୀ ଛଟେଇ କରିବାକୁ ଘୋଷଣା କରିଥିଲା । ଚଳିତ ବର୍ଷ ପ୍ରଯୁକ୍ତି କ୍ଷେତ୍ରରେ ଥିବା କମ୍ପାନୀଗୁଡିକ ଆର୍ଥିକ ଚାପର ସମ୍ମୁଖୀନ ହେବା ସହିତ ଏଆଇ ଆଡକୁ ରୂପାନ୍ତରିତ ହେଉଥିବା ପରିପ୍ରେକ୍ଷୀରେ ଖର୍ଚ୍ଚକାଟ ପଦକ୍ଷେପର ଅଂଶସ୍ୱରୂପ କର୍ମଚାରୀ ଛଟେଇ କରିଚାଲିଛନ୍ତି । ଏହାଦ୍ୱାରା ସମୁଦାୟ ପ୍ରଯୁକ୍ତି ଶିଳ୍ପ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଇନ୍ଟେଲ, ସିସକୋ ଏବଂ ଆଇବିଏମ୍ ଭଳି କମ୍ପାନୀ ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ କରିଛନ୍ତି ।