ବେଜିଂ: ସାରା ବିଶ୍ୱରେ ବିସ୍ତାରବାଦ ନୀତି ପାଇଁ ଜଣାଶୁଣା ଥିବା ଚୀନ ସବୁବେଳେ ପଡୋଶୀ ଦେଶକୁ କବଜା କରିବା ଲକ୍ଷ୍ୟରେ ରହିଥିବା ଦେଖିବାକୁ ମିଳିଥାଏ । ସେଥିପାଇଁ ପ୍ରାୟ ପ୍ରତ୍ୟେକ ପଡୋଶୀ ଦେଶ ସହିତ ଏହାର ସମ୍ପର୍କ ତିକ୍ତ। ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଭୁଟାନ ଭଳି ଏକ ଛୋଟ ଦେଶର ଜମିକୁ ଚୀନ ଦଖଲ କରିଥିବା ଦେଖିବିବାକୁ ମିଳିଛି। ନିକଟରେ ‘ଟରକୁଇଜ ରୁଫ’ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହା ଦର୍ଶାଯାଇଛି । ଏହି ରିପୋର୍ଟ ଅନୁଯାୟୀ ଭୁଟାନର ପରିସୀମା ଭିତରେ ୨୨ଟି ବସତି ସ୍ଥାପନ କରି ନିଜ ଅକ୍ତିଆର ବିସ୍ତାର କରିନେଇଛି ଚୀନ। ଚୀନର ଏଭଳି ବିବାଦୀୟ କାର୍ଯ୍ୟ ପାଇଁ ଭାରତ ସମେତ ଅନେକ ଦେଶ ଚିନ୍ତିତ ଥିବା ବେଳେ ଏବେ ଭୁଟାନର ସାର୍ବଭୌମତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଭୁଟାନ ଅଞ୍ଚଳରେ ଚୀନ ୧୯ଟି ଗ୍ରାମ ସମେତ ତିନୋଟି ଛୋଟ ବସତି ନିର୍ମାଣ କରିଥିବା ସୂଚନା ମିଳିଥିଲା। ଏହା ଏକ ଉପଗ୍ରହରୁ ସଦ୍ୟ ଉତ୍ତୋଳିତ ଚିତ୍ରରୁ ଜଣା ପଡିଛି । ଏହି ବସତିରେ ପ୍ରାୟ ୭୫୨ଟି ବ୍ଲକ ଗଠନ ହୋଇଥିବା ବେଳେ ଏହା ୨୨୮୪ଟି ପରିବାର ରହିପାରିବା କ୍ଷମତା ବିଶିଷ୍ଟ ଅଟେ । ତେବେ ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ଭୁଟାନର ପାରମ୍ପରିକ ସୀମା ଭିତରେ ୭ଟି ଗ୍ରାମ ନିର୍ମାଣ କରିଥିଲା ଚୀନ।
ତେବେ ଏନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଭୁଟାନରେ ଚୀନର ଏଭଳି ବିସ୍ତାରବାଦୀ ନୀତିକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଥିବା ବେଳେ ଏହାର ପ୍ରାୟ ସମସ୍ତ ପଡୋଶୀ ଦେଶ ସହିତ ସୀମା ବିବାଦ ରହିଛି। ଚୀନର ଏଭଳି ବିସ୍ତାରବାଦୀ ପଦକ୍ଷେପ କେବଳ ଭୁଟାନ ପାଇଁ ନୁହେଁ ବରଂ ସମସ୍ତ ପଡୋଶୀ ଦେଶ ପାଇଁ ମଧ୍ୟ ବିପଦଜନକ। ପୂର୍ବରୁ ମଧ୍ୟ ଚୀନର ଏପରି ପଦକ୍ଷେପ ଯୋଗୁଁ ଭାରତ, ଆଫଗାନିସ୍ତାନ, ଲାଓସ, ମଙ୍ଗୋଲିଆ, ଭିଏତନାମ, କାଜାଖସ୍ତାନ, ମିଆଁମାର, ପାକିସ୍ତାନ, କିର୍ଗିଜସ୍ଥାନ ଏବଂ ତାଜିକିସ୍ତାନ ଭଳି ଅନେକ ପଡୋଶୀ ରାଜ୍ୟଙ୍କ ସହ ସମ୍ପର୍କ ତିକ୍ତ ହୋଇ ସାରିଛି।