ଶିମିଳିପାଳ: ଆଗାମୀଦିନରେ ଦେଶବିଦେଶରୁ ଶିମିଳିପାଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ମୟୁରଭଞ୍ଜର ଆଦିମ ଜନଜାତି ମାନଙ୍କ ବିଷୟରେ ଜାଣିପାରିବେ । ମୟୁରଭଞ୍ଜରେ ରହୁଥିବା ଖଡ଼ିଆ, ଲୋଧା, କୋହ୍ଲ ଓ ମାଙ୍କିଡ଼ିଆ ଜନଜାତିଙ୍କ ଜୀବନଶୈଳୀ ତଥା ଚାଲିଚଳନ ବିଷୟରେ ପାଇବେ ଅନେକ ଜଣାଅଜଣା ତଥ୍ୟ। ସେଥିପାଇଁ ଶିମିଳିପାଳସ୍ଥିତ ଗୁରୁଗୁଡ଼ିଆ ରେଞ୍ଜରେ ଉଦ୍ଘାଟିତ ହୋଇଯାଇଛି ଆଦିବାସୀ ସୂଚନା କେନ୍ଦ୍ର।
ଗୁରୁବାର ଏହି ସୂଚନା କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ। ଏହି ସୂଚନା କେନ୍ଦ୍ରରେ ଆଦିମ ଜନଜାତି ମାନଙ୍କ ଜୀବନଶୈଳୀ ଠାରୁ ଆରମ୍ଭ କରି ସେମାନଙ୍କର କଳା, ସଂସ୍କୃତି ଓ ପରମ୍ପରା ଆଦି ସମସ୍ତ ତଥ୍ୟ ପ୍ରଦର୍ଶିତ ହୋଇଛି।
ଉଦ୍ଘାଟନ ଅବସରରେ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ, ‘ବାହାରୁ ଆସୁଥିବା ପର୍ଯ୍ୟଟକ ଏଠାକାର ଆଦିମ ଜନଜାତି ଯଥା- ଖଡ଼ିଆ, ଲୋଧା, କୋହ୍ଲ, ମାଙ୍କିଡ଼ିଆ ଜନଜାତିଙ୍କ ବିଷୟରେ ଏହି ସୂଚନା କେନ୍ଦ୍ରରୁ ଜାଣିପାରିବେ। ଶିମିଳିପାଳ ଭିତରେ ଖଡ଼ିଆ, ଲୋଧା, କୋହ୍ଲ ଓ ମାଙ୍କିଡ଼ିଆ ଜନଜାତି ବସବାସ କରୁଥିବା ବେଳେ ସେମାନଙ୍କ ବୃତ୍ତି, ସେମାନେ ଜୀବନ ଜୀବିକା ତଥା ବେଶଭୂଷା ଆଦି ବିଷୟରେ ସୂଚନା କେନ୍ଦ୍ର ପକ୍ଷରୁ ପର୍ଯ୍ୟଟକମାନେ ଜାଣିପାରିବେ। ଏଥିସହିତ ସେମାନଙ୍କ ସହ ଆସୁଥିବା ଛୋଟ ଛୁଆମାନେ ମଧ୍ୟ ଅନେକ କିଛି ଶିଖି ପାରିବେ।’