ଭୁବନେଶ୍ୱର ୧୮ ।୧୦: ଓଡ଼ିଶା ଭିତରେ ହିଁ ବୁଲିବ ବାତ୍ୟା । ଉପକୂଳରୁ ଆଭ୍ୟନ୍ତର ଆଉ ଉତ୍ତର ଓଡ଼ିଶା । ସପ୍ତାହେ ଯାଏ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି । ବାତ୍ୟା ଦୁର୍ବଳ ପରେ ବି ସପ୍ତାହ ଯାଏ ଓଡ଼ିଶା ଉପରେ ଲଘୁଚାପ ରହିବ । ଜିଏଫ୍ଏସ୍ ମଡ଼େଲ ଏଭଳି ଆକଳନ କରିଛି । ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ପବନରେ ବେଗ ୧୫୦ କିମି ଡ଼େଇଁପାରେ । ମାଡ଼ ହେବ ସିଧା ଓଡ଼ିଶା ଉପକୂଳରେ ପାରାଦୀପରୁ ବାଲେଶ୍ୱର ମଝିରେ । ଗ୍ଲୋବାଲ ଫେରକାଷ୍ଟିଂ ମଡେଲ (ଜିଏଫ୍ଏସ୍) ଏଭଳି ପୂର୍ବାନୁମାନ ଦେଇଛି । ବାତ୍ୟା ରୂପ ନେଲେ ଏହାର ନାମକରଣ ‘ଦାନା’ ରଖାଯିବ । ଖାଲି ଜିଏଫ୍ଏସ୍ ମଡ଼େଲ ନୁହେଁ, ଏନ୍ସିଇପି ମଡେଲର ଆକଳନ ମଧ୍ୟ ବାତ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି । ୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ୩୦ରୁ ୪୦ ପ୍ରତିଶତ ରହିଛି ବୋଲି ଆଇଏମ୍ଡ଼ି ଇଆର୍ଏଫ୍ ମଡେଲ ପୂର୍ବାନୁମାନ କରିଛି । ଇସି ଏଆଇଏଫ୍ଏସ୍ ମଡ଼େଲ କହିଛି କାଟାଗୋରୀ-୧ ବାତ୍ୟା ହେବ ।
କିନ୍ତୁ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ସପ୍ତାହରେ ବାତ୍ୟା ନେଇ ଏବେ ଯାଏ କୌଣସି ଆକଳନ କରାଯାଇନି । ଏହି ସମୟରେ ଲାଘୁଚାପ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ ।