ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାସ୍ଥିତ ଫୁଲବାଣୀ ସାହିରେ ଥିବା ମାଁ ବରାଳ ଦେବୀ ମନ୍ଦିରରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଦୁର୍ଗା ପୂଜା ଓ ଦଶହରା ଉପଲକ୍ଷେ ବହୁ ଆଡମ୍ବରରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମାଁ ବରାଳ ଦେବୀଙ୍କର ଏହି ଯାତ୍ରା ଫୁଲବାଣୀ ସହରେ ପୁରାତନ କାଳରୁ ଫୁଲବାଣୀ ସାହି ବରାଳଦେବୀ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ହୋଇ ଆସୁଛି। ମାଁ ବରାଳ ଦେବୀଙ୍କ ପୀଠରେ ଆଶ୍ୱିନ ଶୁକ୍ଳ ପକ୍ଷ ଦଶମୀ ଦିନରୁ ଆଦିବାସୀ ପରମ୍ପରା ରୀତିନୀତି ଅନୁସାରେ ତିନି ଦିନ ଧରି ପୂଜା ଅନୁଷ୍ଠିତ ହୋଇଥିଲା। ଏକାଦଶ ଦିବସରେ ମାଆଦୁକା ବା କଖାରୁ ପୂଜା ନାମରେ ପୂଜା ହୋଇଥାଏ। ଯାତ୍ରା ଅବସରରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ପୌରାଣିକ ନାଟକ, ଭକ୍ତ ପ୍ରହଲ୍ଲାଦ ନୃସିଂହ ମଞ୍ଚ ନାଟକ ଆଦି ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଯାତ୍ରାର ପ୍ରତି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଖ୍ୟାତନାମା କଣ୍ଠଶିଳ୍ପୀ ଦୀପ୍ତି ରେଖା ପାଢ଼ୀଙ୍କର ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଯୋଗଦେଇ ମାଁ ବରାଳଦେବୀ ପୀଠର ଉନ୍ନତି କରିବା ସହ କନ୍ଧମାଳ ଜିଲ୍ଲାର ସାମୁହିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କ କନ୍ଧମାଳର ଉନ୍ନତି ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସୋରଡା ବିଧାୟକ ନୀଳ ବିଶୋଇ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଶିଳ୍ପପତି ତଥା ସମାଜସେବୀ ବସନ୍ତ ବିଶୋଇ,ବୌଦ୍ଧ ଜିଲ୍ଲା ପୁରୁଣା କଟକ ରାଣୀସତୀ ରାଇସ କମ୍ପାନୀର ମାଲିକ ଅଶୋକ କୁମାର ଅଗ୍ରୱାଲ, ହୀରାଞ୍ଚଳର ସମ୍ପାଦକ ତଥା ବୌଦ୍ଧ ଜିଲ୍ଲା ଓସିଏ ସଭାପତି ଯୁଗଳ କିଶୋର ସାମଲ ଏବଂ ରଜତ ମହାନ୍ତି ,ସଞ୍ଜିତ, ଯୁବ ଉଦ୍ୟୋଗୀ ପ୍ରଶାନ୍ତ ସ୍ୱାଇଁ, ମଣ୍ଡଳ,ପ୍ରଶାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଉପଢୌକନ ଏବଂ ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା ବରିଷ୍ଠ ଆଇନଜୀବୀ ରମେଶ ମହାନ୍ତି କରିଥିଲେ।