ଭୁବନେଶ୍ୱର: ଓଡ଼ିଶା ପରିବେଶ ସମିତି (ଓଇଏସ୍) ଅକ୍ଟୋବର ୨୫ରେ ଏହାର ୪୩ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ଓଇଏସ କାର୍ଯ୍ୟନିର୍ବାହୀ କମିଟି ଏହାର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୃହୀତ ନିଷ୍ପତ୍ତିରେ ଦର୍ଶାଇଛି ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥଙ୍କୁ ପରିବେଶ କ୍ଷେତ୍ରକୁ ସାମଗ୍ରିକ ଅବଦାନ ନିମନ୍ତେ ‘ଆଜୀବନ କୃତି ପୁରସ୍କାର’ ପ୍ରଦାନ କରାଯିବ। ଭାରତ ସରକାରଙ୍କର ପରିବେଶ ମନ୍ତ୍ରଣାଳୟର ପୂର୍ବତନ ପରାମର୍ଶଦାତା ଡ. ବୀରେନ୍ଦ୍ର ପ୍ରତାପ ଉପାଧ୍ୟାୟ ‘ପରିବେଶ ଉତ୍କର୍ଷତା ପୁରସ୍କାର’ରେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଅଜୟ କୁମାର ପାତ୍ର ‘ଜନପ୍ରିୟ ପରିବେଶ ଏବଂ ବିଜ୍ଞାନ ପୁରସ୍କାର’ରେ ଭୂଷିତ ହେବେ ।
ସେହିପରି ଡେରାଡୁନସ୍ଥିତ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ପ୍ରଫେସର ବିଭାଶ ପାଣ୍ଡବଙ୍କୁ ‘ପ୍ରକୃତି ସଂରକ୍ଷଣ ପୁରସ୍କାର’ଏବଂ ନିତିଦିନ ଖବର କାଗଜର ସହଯୋଗୀ ସମ୍ପାଦକ ହରେକୃଷ୍ଣ ଚୌଧୁରୀଙ୍କୁ ‘ପରିବେଶ ସମ୍ବାଦରେ ଉତ୍କର୍ଷତା ପୁରସ୍କାର’ପ୍ରଦାନ କରାଯିବ । ଏଥିସହ ପ୍ରଫେସର ଶରତ କୁମାର ପଲିତା, ଡ. ଭି.ପି. ଉପାଧ୍ୟାୟ, ଡ. ନବିନ କୁମାର ଧଳ ଏବଂ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ାଙ୍କୁ ଉପାଧି ପ୍ରଦାନ କରାଯିବ। ଏହି ଅବସରରେ ପାଞ୍ଚଜଣ ବରିଷ୍ଠ ଆଜୀବନ ସଦସ୍ୟ ଏକାଦାଶି ନନ୍ଦୀ, ବିଶ୍ୱନାଥ ପୁହାଣ, ପ୍ରକାଶ ଚନ୍ଦ୍ର ମିଶ୍ର, ସ୍ୱପ୍ନା ବେହେରା ଏବଂ ରାମନାରାୟଣ ଗୁପ୍ତାଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଓଇଏସର ସମ୍ପାଦକ ଡ଼. ଜୟକୃଷ୍ଣ ପାଣିଗ୍ରାହୀ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି।