ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ଏହାର ପ୍ରଭାବରେ ମାଲକାନଗିରିରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଏହା ଫଳରେ ମାଲକାନଗିରିର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ପଶିଯାଇ ଜନଜୀବନ ଓ ଯାତାୟାତ ବ୍ୟାହତ ହୋଇଛି। ସୋମବାର ଏନେଇ ଏସ୍ଆର୍ସିଙ୍କ ପକ୍ଷରୁ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ଏସ୍ଆର୍ସି ଦେଓରଞ୍ଜନ କୁମାର ସିଂ କହିଛନ୍ତି ଯେ, “ଲଗାଣ ବର୍ଷା ଯୋଗୁ ଫୋକସ୍ରେ ମାଲକାନଗିରି ଜିଲା ରହିଛି। ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍ ମୁତୟନ ରହିଛନ୍ତି। ଆସନ୍ତାକାଲି ବର୍ଷା ସମ୍ଭାବନା ଥିବାରୁ ସଜାଗ ରହିଛୁ। ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ତଥାପି ସମ୍ଭାବ୍ୟ ବନ୍ୟାର ମୁକାବିଲା କରିବା ପାଇଁ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍କୁ ଜାଗ୍ରତ ରଖାଯାଇଛି ଓ ସ୍ଥାନୀୟ ପ୍ରଶାସନକୁ ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଭୁବନେଶ୍ୱରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ୩୦ଟି ପମ୍ପ ଲଗାଇବାକୁ କୁହାଯାଇଛି। ସେହିପରି କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ଲଗାଇବାକୁ ନିର୍ଦେଶ ରହିଛି। ତେବେ ସମ୍ଭାବ୍ୟ ବନ୍ୟା ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ସମସ୍ତ କ୍ଷେତ୍ର ସ୍ତରୀୟ ଅଧିକାରୀ ଓ ଇଂଜିନିୟର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”
ଅପରପକ୍ଷରେ ମୁଖ୍ୟ ସଚିବ ମନୋଜ ଆହୁଜା ଆଜି ଲଗାଣ ବର୍ଷା ଜନିତ ସ୍ଥିତିର ସମୀକ୍ଷା କରି ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଧକାରୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି। ଆଏଏସ୍ ବିଷ୍ଣୁପଦ ସେଠୀ ଏବଂ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି।