କଟକ, ୧୮/୧୦: ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବା ନିମନ୍ତେ ହାଇକୋର୍ଟ ଦ୍ୱାରା ଉପସ୍ଥାପିତ ଆଡ଼ଭୋକେଟ କମିଟି ୧୨ଟି ଅଭିଯୋଗକୁ ଭିତ୍ତି କରି ଏହାର ସମୀକ୍ଷା କରିଛନ୍ତି । ବିଶେଷକରି କଟକ ବଡ଼ ମେଡ଼ିକାଲରେ ଅଲଟ୍ରାସାଉଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ରୋଗର ପରୀକ୍ଷା ନିରୀକ୍ଷା ପାଇଁ ଯନ୍ତ୍ରପାତି ଥିଲେ ମଧ୍ୟ ରୋଗୀମାନେ ଚିକିତ୍ସା ପାଇପାରୁ ନାହାନ୍ତି । ଅନେକ ସମୟରେ ମେସିନ ଅଚଳ ରହି ରୋଗୀମାନଙ୍କୁ ଫେରାଇ ଦେଉଛନ୍ତି । ଆଡ଼ଭୋକେଟ କମିଟି ଏହି ସମସ୍ତ ସମସ୍ୟା ସଂପର୍କରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଏସସିବି ମେଡ଼ିକାଲ କଲେଜର ଅଧ୍ୟକ୍ଷ ଡକ୍ଟର ଲୁସି ଦାସ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ କମିଟି ଆଲୋଚନା କରିଥିଲା । ଆଡ଼ଭୋକେଟ କମିଟିର ସରୋଜ ପାଢୀ, ବିଜୟ ଦାସ ପ୍ରମୁଖ ମେଡ଼ିକାଲ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଏସସିବି ମେଡ଼ିକାଲ କଲେଜର ରେଜିଷ୍ଟାର ଡକ୍ଟର ଅବିନାଶ ରାଉତ, ସିଏମ୍ସି କମିଶନର ଅନାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।