ଶ୍ରୀନଗର: ରବିବାର କାଶ୍ମୀର ମାରାଥନକୁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁଭାରମ୍ଭ କରିବା ସହିତ ନିଜେ ୨୧ କିଲୋମିଟର ଦୌଡିଛନ୍ତି। ଆନ୍ତର୍ଜାତିକ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ଜମ୍ମୁ କାଶ୍ମୀର ଏକ ଶାନ୍ତିପୂର୍ଣ୍ଣ ସ୍ଥାନ ବୋଲି ପ୍ରଦର୍ଶିତ କରିବାକୁ ଏହି ମାରାଥନ ଆୟୋଜନ କରାଯାଇଥିଲା। ଏଥିରେ ଭାରତର ଶୀର୍ଷସ୍ତରର ଦୂରଗାମୀ ଧାବକ, ଏସୀୟ ସ୍ୱର୍ଣ୍ଣପଦକ ବିଜେତା ଏବଂ ୟୁରୋପ ଓ ଆଫ୍ରିକାର କିଛି ଶ୍ରେଷ୍ଠ ଧାବକ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ରବିବାର ସକାଳେ ଏହି ମାରାଥନର ଶୁଭାରମ୍ଭ କରିବା ପରେ ନିଜେ ଦୌଡରେ ସାମିଲ ହୋଇଥିଲେ। ଏଥିରେ ୧୩ଟି ରାଷ୍ଟ୍ରରୁ ୨ହଜାରରୁ ଅଧିକ ଆଥଲେଟ ଅଂଶଗ୍ରହଣ କରିଥିବା ଜଣାଯାଇଛି। କାଶ୍ମୀର ଉପତ୍ୟକାରେ ଏହା ପ୍ରଥମ ଆନ୍ତର୍ଜାତିକ ଆଥଲେଟିକ କାର୍ଯ୍ୟକ୍ରମ ଥିଲା।
ସୂଚନାଯୋଗ୍ୟ ଯେ ୫୪ ବର୍ଷ ବୟସ୍କ ଦୁଇଘଣ୍ଟା ମଧ୍ୟରେ ୨୧ କିଲୋମିଟର ଦୌଡିଥିବାବେଳେ ତାଙ୍କସହିତ ବଲିଉଡ ଅଭିନେତା ସୁନିଲ ସେଟ୍ଟି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓମାର ଟ୍ୱିଟ କରି କହିଛନ୍ତି, କୌଣସି ଉପଯୁକ୍ତ ତାଲିମ ଅଥବା ଯୋଜନା ନଥାଇ ସେ ଦୌଡରେ ସାମିଲ ହୋଇଥିଲେ ଏବଂ କିଲୋମିଟରକୁ ୫.୫୪ ମିନିଟରେ ଅତିକ୍ରମ କରିବା ହାରରେ ୨୧ କିଲୋମିଟର ପଥ ଅତିକ୍ରମ କରିଥିଲେ। ସେ ପୂର୍ବରୁ ୧୩ କିଲୋମିଟରରୁ ଅଧିକ ଦୌଡି ନାହାନ୍ତି ଏବଂ ମାତ୍ର ଥରକ ପାଇଁ ଏତିକି ଦୂର ଦୌଡିଥିଲେ। ରବିବାର କିନ୍ତୁ ତାଙ୍କ ଭଳି ଅନ୍ୟ ସୌଖୀନ ଆଥଲେଟଙ୍କ ଉତ୍ସାହ ଦେଖିବା ପରେ ସେ ଦୌଡିବାକୁ ଲାଗିଥିଲେ। ବାଟରେ ସେ ଗୋଟିଏ କଦଳୀ ଓ କିଛି ଖଜୁର ଖାଇଥିଲେ। ସେ ନିଜ ଘର ସମ୍ମୁଖ ଦେଇ ଦୌଡିବା ସମୟରେ ତାଙ୍କ ପରିବାର ଓ ଅନ୍ୟମାନେ ତାଙ୍କୁ ଉତ୍ସାହିତ କରିବା ତାଙ୍କ ମନୋବଳକୁ ସୁଦୃଢ କରିଥିଲା। ଆଗାମୀ ବର୍ଷଗୁଡିକରେ କାଶ୍ମୀର ମାରାଥନ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ଆଥଲେଟିକ କାର୍ଯ୍ୟକ୍ରମ ହେବ ବୋଲି ଓମାର କହିଛନ୍ତି।