ଶନିବାର ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଚଳିତ ବର୍ଷ ପ୍ରଥମଥର ପାଇଁ ଜନଜାତିରୁ ଓଏସ ହୋଇଛନ୍ତି ବଣ୍ଡାଜାତିର ଝିଅ ବିନି ମୁଦୁଲି । ବିନି ପ୍ରଥମ ବଣ୍ଡା ଜନଜାତି ଭାବେ ଓସିଏସ ପରୀକ୍ଷା ୫୯୬ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି। ବିନି ମାଲକାନଗିରିର ବାସିନ୍ଦା ହୋଇଥିବା ବେଳେ ଏହି ଜିଲ୍ଲାରୁ ମୋଟ ୪ ଜଣ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେମାନେ ହେଲେ କୋରକୁଣ୍ଡା ବ୍ଲକ ପଟ୍ରେଲ୍ ଗ୍ରାମ ନିବାସୀ ଶ୍ୟାମା ମାଢୀ, ମେଣ୍ଡୁକୁଲି ଗ୍ରାମର ଭାଗ୍ୟଶ୍ରୀ ମିଶ୍ର ଓ ସଦରର ପିଲହୋଲିକା ପ୍ରିୟଦର୍ଶିନୀ ।
ସୂଚନାଯୋଗ୍ୟ ଯେ, ଖାଇରପୁଟ ବ୍ଲକ ଗୋବିନ୍ଦପଲ୍ଲୀ ନିକଟସ୍ଥ ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ଖେମାଗୁଡା ବାସିନ୍ଦା ରାମ ମୁଦୁଲିଙ୍କ ଝିଅ ହେଉଛନ୍ତି ବିନି । ତାଙ୍କ ବାପା ବଣ୍ଡାଘାଟିର ମୁଦୁଲିପଡା ହାଇସ୍କୁଲର ରୋଷେୟା ଭାବେ କାମ କରୁଥିବା ବେଳେ ମାଆ ସୁନାମଣି କିରସାନି ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରନ୍ତି । ବିନିଙ୍କ ପ୍ରାଥମିକ ଶିକ୍ଷା ବଣ୍ଡାଘାଟିସ୍ଥିତ ମୁଦୁଲିପଡା ପ୍ରାଥମିକ ବିଦ୍ୟାଳୟରେ ସମାପ୍ତ ହୋଇଥିବା ବେଳେ ମାଲକାନଗିରି ନବୋଦାୟରେ ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଥିଲେ। ଏହାପରେ ସେ ସ୍ନାତକ କରିଥିଲେ। ଏହା ପରେ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଗତ ୨୦୨୨ ମସିହାରେ ପରୀକ୍ଷା ଦେଇଥିଲେ।