କଟକ: ରବିବାର କଟକ ଜିଲାର ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ସମୀକ୍ଷା ବୈଠକ । ଏହି ବୈଠକରେ କଟକ ଜିଲାର ସମସ୍ତ ବିଧାୟକ ଯୋଗ ଦେଇଥିବା ବେଳେ ଚଳିତ ଖରିଫ ଋତୁରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯିବା ନେଇ ଆଲୋଚନା କରିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ତେବେ ଏହି ବୈଠକରେ ଯୋଗାଣ ମନ୍ତ୍ରୀ ସମୀକ୍ଷା କରି କହିଛନ୍ତି ଯେ ଚାଷୀଙ୍କ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ। ଏହାବ୍ୟତୀତ ‘କଟନୀ ଛଟନୀ’ କରାଯିବ ନାହିଁ। ଏହି ପରିପ୍ରେକ୍ଷୀରେ ଏଫଏକ୍ୟୁ ମାନର ଧାନ ପାଇଁ କ୍ୱାଲିଟି ଗ୍ରେନ ଆନାଲାଇଜର ମେସିନ ବ୍ୟବହାର ତଥା ମଣ୍ଡିରେ ସିସିଟିଭି କ୍ୟାମେରା ଓ ଗାଡ଼ିରେ ଜିପିଏସ୍ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଅସାଧୁ ବେପାରୀଙ୍କୁ ଦୁର୍ନୀତି କରିବାକୁ ସୁଯୋଗ ଦେଉଥିବା ଅଧିକାରୀଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ।
ଅପରପକ୍ଷରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକଙ୍କୁ ରାସନ କାର୍ଡରେ ଅନ୍ତର୍ଭୁକ୍ତ ସମେତ ଧନୀ ବ୍ୟକ୍ତିଙ୍କ ନାମରେ ଥିବା ରାସନ କାର୍ଡକୁ କାଟିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ।