ଜେରୁସେଲମ: ରବିବାର ଇସ୍ରାଏଲ ପକ୍ଷରୁ ପାଲେଷ୍ଟାଇନର ଗାଜା ଉପତ୍ୟକାସ୍ଥିତ ବିଟ୍ ଲାହିୟା ଅଞ୍ଚଳରେ ହୋଇଥିବା ବୋମାମାଡରେ ୮୭ ଜଣଙ୍କର ପ୍ରାଣହାନୀ ଘଟିଛି। ଏନେଇ ପାଲେଷ୍ଟାଇନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଆକ୍ରମଣରେ ଉକ୍ତ ଅଞ୍ଚଳରେ ଏକାଧିକ ଅଟ୍ଟାଳିକା ସମ୍ପୂର୍ଣ୍ଣ ଧରାଶାୟୀ ହୋଇଥିବା ବେଳେ ଆଉ କେତେକ ମାଟି ତଳେ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ ଯେ, ରବିବାର ଇସ୍ରାଏଲର ଅତର୍କିତ ଆକ୍ରମଣ ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ବିଛିନ୍ନ ହୋଇଯାଇଥିବା ବେଳେ ବାହାରୁ ଆସୁଥିବା ରିଲିଫ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେବେ ବିଟ୍ ଲାହିୟା ଗାଜାର ଏକ ବ୍ୟସ୍ତବହୁଳ ଜନବସତି ହୋଇଥିବାରୁ ଉଦ୍ଧାରକାରୀ ଦଳ ମଧ୍ୟ ସେଠାରେ ପହଞ୍ଚିବା କଷ୍ଟକର ହୋଇପଡିଛି। ଅପରପକ୍ଷରେ ଇସ୍ରାଏଲ ଏହାକୁ ଖଣ୍ଡନ କରିବା ସହିତ ଅତିରଞ୍ଜିତ ବୋଲି କହିଛି।
ପ୍ରକାଶଥାଉ କି, ଶୁକ୍ରବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନକୁ ଟାର୍ଗେଟ କରି ହେଜବୋଲ୍ଲା ସଂଗଠନ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ଏଭଳି ଆକ୍ରମଣ କରିଥିବା ପାଲେଷ୍ଟାଇନ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଗାଜା ବ୍ୟତୀତ ହେଜବୋଲ୍ଲାର ଏକାଧିକ ଠିକଣା ଉପରେ ମଧ୍ୟ ବୋମାମାଡ କରିଛି ଇସ୍ରାଏଲ। ଫଳରେ ଲେବାନନ ରାଜଧାନୀ ବେରୁଟ୍ ରେ ଥିବା ଅନେକ ହେଜବୋଲ୍ଲା ଆଡ୍ଡାସ୍ଥଳୀ, ଭୂତଳ ଅସ୍ତ୍ରାଗାର, ମସଜିଦ ଓ ଡାକ୍ତରଖାନା ବ୍ୟାପକ କ୍ଷୟକ୍ଷତି ଘଟିଛି।