ପୁରୀ : ବାତ୍ୟା ‘ଦାନା’କୁ ନେଇ ସାରା ଓଡ଼ିଶାରେ ଭୟ ଦେଖାଦେଇଛି । ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ବେଗ ରହିବ। ବାତ୍ୟା ମୁକାବିଲାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମଙ୍ଗଳବାରଠାରୁ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନ ଆସିବେ ସେନେଇ ପଦକ୍ଷେପ ନେବାକୁ ସରକାର ଜିଲ୍ଲା ପ୍ରଶାସନକୁ କୁହାଯାଇଛି।
ଅନ୍ୟପକ୍ଷେ ଯେଉଁମାନେ ପୁରୀ ବାସିନ୍ଦା ନୁହନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ, ପୁରୀରେ ଥିବା ହବିଷିଆଳିଙ୍କ ସୁରକ୍ଷା ପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସୋମବାରଠାରୁ ଓଡ୍ରାଫ ଟିମ୍କୁ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାକୁ ପଠାଇ ଦିଆଯାଇଛି। ସେମାନେ ଜିଲ୍ଲା ମୁଖ୍ୟାଳୟ ଓ ପ୍ରମୁଖ ସ୍ଥାନମାନଙ୍କରେ ଆଲର୍ଟ ରହିବେ। ୨୪ ଘଣ୍ଟା ବିଜୁଳି ଯୋଗାଣ ଓ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଜିଲ୍ଲା, ବ୍ଲକ ଓ ବିଭିନ୍ନ ବିଭାଗରେ କଣ୍ଟ୍ରୋଲ ରୁମ ଖୋଲିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।