ଭୁବନେଶ୍ୱର: ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହା ପାରାଦ୍ୱୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ତେବେ ବୁଧବାର ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଏହି ଲଘୁଚାପ ବାତ୍ୟାରେ ପରିଣତ ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ସମୁଦ୍ର ମଧ୍ୟରେ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ସ୍ଥଳଭାଗମୁହାଁ ହେବ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଥିବା ସମ୍ଭାବନା ଅଛି।
ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିବା ନେଇ ପୂର୍ବାନୁମାନ କରିଛି ଆଇଏମଡ଼ି। ଏହି ବାତ୍ୟା ପ୍ରଭାବ ଉପକୂଳ ଅଂଚଳ ବିଶେଷ କରି ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଆଦି ଜିଲାରେ ରହିବା ନେଇ ସତର୍କ ସୂଚନା ଜାରି ହୋଇଛି। ଏହି ଜିଲାଗୁଡ଼ିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି ହୋଇଛି। ତେବେ ଏହି ସମୟରେ କଟକ, ଖୋର୍ଦ୍ଧା,ପୁରୀ ଜିଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇଛି।
ଆସନ୍ତା ୨୩ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ୨୪ ଓ ୨୫ ଦୁଇଦିନ ସବୁଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ଆସନ୍ତା ୨୫ ଯାଏଁ ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯିବା ସହ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ଚେତାବନୀ ଜାରି ହୋଇଛି। ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଏସଆରସି ଦେଓରଂଜନ ସିଂହ। ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ସରକାର କାମ କରୁଥିବା କହିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇ ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିସହିତ ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରିବା ସହ ଗର୍ଭବତୀ ଓ ଜରୁରୀକାଳୀନ ସେବା ପାଇଁ ନିକଟସ୍ଥ ହସ୍ପିଟାଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।