ନୂଆଦିଲ୍ଲୀ: ଖୁବଶୀଘ୍ର ସୁଧୁରିବାକୁ ଯାଉଛି ଭାରତ ଓ ଚୀନ ସମ୍ପର୍କର ସମୀକରଣ। ଦୁଇ ଦେଶର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲ୍ଏସି)ରେ ପାଟ୍ରୋଲିଂ ଆରମ୍ଭ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି । ଏନେଇ ବିଦେଶ ବ୍ୟାପାର ସଚିବ ବିକ୍ରମ ମିସ୍ରି ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୨୦ ମସିହାରେ ଯେଉଁ ସମସ୍ୟା ଦେଖାଦେଇଥିଲା ତାହାର ସମାଧାନ ହୋଇପାରିଛି। ଦୁଇ ଦେଶର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲ୍ଏସି)ରେ ପାଟ୍ରୋଲିଂ ଆରମ୍ଭ ହେବ । ଏ ଦିଗରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହାର ଗଲ୍ୱାନ ସଂଘର୍ଷ ପରେ ଭାରତ ଓ ଚୀନ ସଂପର୍କ ତିକ୍ତ ହୋଇଥିଲା। ତେବେ ଏହାପରେ ୨୦୨୨ ମସିହାରେ ସେପ୍ଟେମ୍ବରରେ ଏ କ୍ଷେତ୍ରରେ ଏକ ବଡ଼ଧରଣର ଅଗ୍ରଗତି ହୋଇ ଉଭୟପକ୍ଷ ଏଲଏସିରୁ ସେନା ପ୍ରତ୍ୟାହାର ନେଇ ନିଷ୍ପତ୍ତି ହୋଇଥିଲା। ଏହି ସମୟରେ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳର ପଏଣ୍ଟ-୧୫ ପାଟ୍ରୋଲିଂ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରାଯାଇଥିଲା। ଏଥିଯୋଗୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ମଧ୍ୟ ଖରାପ ହୋଇଥିଲା। ଚୀନରୁ ନିବେଶ ଅନୁମତିକୁ ସରକାର କଡ଼ାକଡ଼ି କରିଥିଲେ ଏବଂ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଉପରେ ରୋକ୍ ଲଗାଇଥିଲେ। ତେବେ ଏ ନେଇ ଗତ କିଛି ସପ୍ତାହ ଧରି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ପାଟ୍ରୋଲିଂ ଆରମ୍ଭ ହେବା ନେଇ ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା କ୍ଷେତ୍ରରେ ଏହା ବଡ଼ ପଦକ୍ଷେପ ।
ଏହି ଘଟଣାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛିନ୍ତି। ଏହା ସୀମାରେ ଶାନ୍ତି ପାଇଁ ଏହା ବାଟ ଫିଟାଇବ ବୋଲି କହିବା ସହ ୨୦୨୦ ମସିହାର ଅବସ୍ଥାକୁ ଫେରିଥିବା କହିଛନ୍ତି ଜୟଶଙ୍କର। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ , ‘ଆମେ କହିପାରିବା ଯେ ସେନା ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ବିଭିନ୍ନ କାରଣ ପାଇଁ ୨୦୨୦ ମସିହା ପରେ ସେମାନେ ଆମକୁ କେତେକ କ୍ଷେତ୍ରରେ ଅବରୋଧ କରିଥିଲେ ଏବଂ ଆମେ ମଧ୍ୟ ସେମାନଙ୍କୁ ଅବରୋଧ କରିଥିଲୁ। କିନ୍ତୁ ଆମେ ଏବେ ରାଜିନାମାରେ ପହଞ୍ଚିଛୁ। ଏହି ରାଜିନାମା ଉଭୟ ଦେଶକୁ ପାଟ୍ରୋଲିଂ ପାଇଁ ଅନୁମତି ଦେବ। ତେବେ ଏହା ଆମ ଅଧ୍ୟବସାୟ ଏବଂ ଧୈର୍ଯ୍ୟପୂର୍ଣ୍ଣ କାର୍ଯ୍ୟର ଫଳ।