ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସରେ ୫୦% ଅଂଶ ଅଧିଗ୍ରହଣ କରିଛନ୍ତି ଆଦାର ପୁନାୱାଲା । ଏହି ଅଧିଗ୍ରହଣ ପରେ ଧର୍ମା ପ୍ରଡକ୍ସନ୍ସରେ ପୁନାୱାଲାଙ୍କ ସେରେନ ପ୍ରଡକ୍ସନ ଏବଂ କରନ ଜୋହରଙ୍କର ୫୦ ପ୍ରତିଶତ ଲେଖାଏଁ ଅଂଶ ରହିଛି । ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆର ସିଇଓ ଆଦାର ପୁନାୱାଲା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଏବଂ ଧର୍ମାଟିକ ଏଣ୍ଟରଟେନମେଣ୍ଟରେ ସେରେନ ପ୍ରଡକ୍ସନ ଜରିଆରେ ପୁଞ୍ଜିନିବେଶ କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଅଧିଗ୍ରହଣ ମୂଲ୍ୟ ପ୍ରାୟ ୧ହଜାର କୋଟି ଟଙ୍କା ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ କରନ ଜୋହର ଧର୍ମା ପ୍ରଡକ୍ସନ୍ସର ମୁ୍ଖ୍ୟ ଭାବରେ ଦୀର୍ଘ ବର୍ଷ ଧରି ରହିଆସିଥିବାବେଳେ ସେ ପୂର୍ବଭଳି ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ସେହିଭଳି ଅପୂର୍ବା ମେହଟା ମଧ୍ୟ ଉକ୍ତ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରେ ଅପରିବର୍ତ୍ତିତ ରହିବେ । ଏହାଦ୍ୱାରା କମ୍ପାନୀର ନେତୃତ୍ୱ ପଦଗୁଡିକ ଅପରିବର୍ତ୍ତିତ ରହିବା ସହିତ ତାହାର କାର୍ଯ୍ୟକାରିତାରେ କୋୖଣସି ବ୍ୟାଘାତ ସୃଷ୍ଟି ହେବନାହିଁ ।
ଭାରତର ମନୋରଞ୍ଜନ ଶିଳ୍ପ ଦ୍ରୁତ ଅଭିବୃଦ୍ଧି ହାସଲ କରିବାରେ ଲାଗିଛି । ଏହାପଛର ମୁଖ୍ୟ କାରଣ ହେଉଛି ବର୍ଦ୍ଧିତ ଡିଜିଟାଲ ସୁଯୋଗ ଏବଂ ବିବିଧ ଦର୍ଶକଙ୍କ ପସନ୍ଦ । ସେମାନେ ବହୁଧା ପ୍ଲାଟଫର୍ମରେ ଉଚ୍ଚ ଗୁଣମାନର ମନୋରଞ୍ଜନ ବିଷୟବସ୍ତୁ ଖୋଜୁଛନ୍ତି । କରନ ଜୋହର ଏବଂ ପୁନାୱାଲାଙ୍କ ମେଣ୍ଟ କଣ୍ଟେଣ୍ଟ ପ୍ରସ୍ତୁତିକୁ ନୂଆ ଦିଗଦର୍ଶନ ଦେବା ଏବଂ ଦର୍ଶକଙ୍କୁ ସେମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଯୋଗାଇଦେବା ଆଶା କରାଯାଉଛି । ସହଭାଗିତା ସମ୍ପର୍କରେ ନିଜର ଉଲ୍ଲାସ ଭାବ ପ୍ରକାଶ କରି ଆଦାର ପୁନାୱାଲା କହିଛନ୍ତି, ସେ ଦେଶର ଅନ୍ୟତମ ସର୍ବାଧିକ ଚର୍ଚ୍ଚିତ ପ୍ରଯୋଜନା ସଂସ୍ଥା ସହିତ ସହଭାଗୀତା କରିବାର ସୁଯୋଗ ପାଇ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛନ୍ତି । ଆଗାମୀ ଦିନରେ ଧର୍ମାକୁ ଅଧିକ ଉଚ୍ଚତାକୁ ନେଇଯିବାକୁ ସେ ଓ କରନ ଉଭୟ ଆଶା ରଖିଛନ୍ତି । କରନ ଜୋହର କହିଛନ୍ତି, ଆରମ୍ଭ ଦିନଠାରୁ ଧର୍ମା ପ୍ରଡକ୍ସନ୍ସ ହୃଦୟକୁ ଛୁଇଁବାଭଳି କାହାଣୀ ଏବଂ ସେଥିରେ ଭାରତୀୟ ସଂସ୍କୃତିକୁ ଉପସ୍ଥାପିତ କରି ଦର୍ଶକଙ୍କ ନିକଟରେ ବେଶ ଆଦୃତି ଲାଭ କରିଛି । ସ୍ଥାୟୀ ଛାପ ଛାଡିବା ଭଳି ଚଳଚ୍ଚିତ୍ର ନିର୍ମାଣ କରିବା ତାଙ୍କ ବାପାଙ୍କର ସ୍ୱପ୍ନ ଥିଲା । ଆଜି ସେମାନେ ମିଳିତ ଭାବରେ ଧର୍ମାର ପରମ୍ପରାକୁ ନୂତନ ଶିଖରରେ ପହଞ୍ଚାଇବାକୁ ଯାଉଛନ୍ତି ।