କଲକାତା: ବହୁ ଚର୍ଚ୍ଚିତ ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଗତ ୫ ତାରିଖରୁ ଆମରଣ ଅନଶନରେ ଥିବା ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆମରଣ ଅନଶନରୁ ଓହରିଯାଇଛନ୍ତି। ସୋମବାର ସମସ୍ତ କନିଷ୍ଠ ଡାକ୍ତରମାନେ ଏହି ଅନଶନରୁ ଓହରିଥିବା ସୂଚନା ମିଳିଛି । କନିଷ୍ଠ ଡାକ୍ତର ସଂଘ କର୍ମକର୍ତ୍ତା ମାନଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ପରେ ଏହି ଅନଶନ ଶେଷ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ୧୦ ଦଫା ଦାବି ନେଇ କନିଷ୍ଠ ଡାକ୍ତର ସଂଘର କର୍ମକର୍ତ୍ତା ମାନେ ଆମରଣ ଅନଶନ ପାଇଁ ରାଜରାସ୍ତାକୁ ଓଲ୍ହାଇଥିଲେ । ଏହି ସମୟରେ ଡାକ୍ତରମାନେ କର୍ମକ୍ଷେତ୍ରରେ ଉତ୍ତମ ପରିବେଶ ସହିତ ଡାକ୍ତରଖାନାରେ ଭିତ୍ତିଭୂମିର ବିକାଶ ଭଳି ୧୦ଟି ପ୍ରମୁଖ ଦାବି କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସଚିବାଳୟରେ ହୋଇଥିବା ଆଲୋଚନା ଅନୁସାରେ ଦାବି ପୂରଣ ପାଇଁ ସରକାରଙ୍କ ପକ୍ଷରୁ ଏକ ଟାକ୍ସଫୋର୍ସ ଗଠନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପରେ ଡାକ୍ତରମାନେ ଆମରଣ ଅନଶନରୁ ଓହରିଥିବାବେଳେ ଅନ୍ୟ ମାଧ୍ୟମରେ ସେମାନଙ୍କର ଆନ୍ଦୋଳନ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।