ଭୁବନେଶ୍ୱର : ଆସୁଛି ବାତ୍ୟା `ଦାନା’ । ବିପର୍ଯ୍ୟୟ ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର । ଏନେଇ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ଏନଡିଆରଏଫ୍ ଟିମ୍ । ଡାକବାଜି ଯନ୍ତ୍ର ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।ସବୁ ବନ୍ଦରକୁ ରେଡ ଆଲର୍ଟ ଜାରି କରାଯାଇଛି । ଡଙ୍ଗା ଓ ବୋଟକୁ ସୁରକ୍ଷିତ ସ୍ଥାନରେ ରଖୁଛନ୍ତିି ମତ୍ସ୍ୟଜୀବୀ । ଆସନ୍ତା ୨୫ତାରିଖ ଯାଏ ଚିଲିକାରେ ଯାତ୍ରୀବାହୀ ଏବଂ ମାଛଧରା ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ତଟବର୍ତ୍ତୀ ଅଞ୍ଚଳ ଶାନ୍ତିନଗର, ସନ୍ନ୍ୟାସୀନଗର ଏବଂ ଗୋପବନ୍ଧୁ ନଗର ବାସିନ୍ଦାଙ୍କୁ ଆବଶ୍ୟକସ୍ଥଳେ ସ୍ଥାନାନ୍ତର ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶ୍ରୟସ୍ଥଳଗୁଡ଼ିକରେ ଆଲୋକ, ପାନୀୟଜଳ, ଶୁଖିଲା ଏବଂ ରନ୍ଧାଖାଦ୍ୟର ବ୍ୟବସ୍ଥା ସହ ପ୍ରସୂତି ମହିଳା, ନବଜାତ ଶିଶୁ, ମା’ମାନଙ୍କୁ ନିକଟ ସ୍ଵାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯିବ ବୋଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ସୂଚନା ଦେଇଛନ୍ତି।