ଭୁବନେଶ୍ୱର: ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାପରେ ବୁଧବାର ଏହା ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ବାତ୍ୟାଟି ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଥିବା ସୂଚନା ଦେଇଛି ପାଣିପାଗ । ଭୁବନଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି। ବର୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଅତିକ୍ରମ କରୁଛି। ଏବେ ଏହା ପାରାଦୀପଠୁ ୫୬୦ କିଲୋମିଟର ଓ ସାଗରଦ୍ୱୀପରୁ ୬୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି।
ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିବା ନେଇ ପୂର୍ବାନୁମାନ କରିଛି ଆଇଏମଡ଼ି। ଏହି ବାତ୍ୟା ପ୍ରଭାବ ଉପକୂଳ ଅଂଚଳ ବିଶେଷ କରି ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଆଦି ଜିଲାରେ ରହିବା ନେଇ ସତର୍କ ସୂଚନା ଜାରି ହୋଇଛି। ଗୁରୁବାର ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ। ତେବେ ପ୍ରକୃତ ଲ୍ୟାଣ୍ଡଫଲ୍ ସ୍ଥଳ ଏଯାଏଁ ସ୍ପଷ୍ଟ ହୋଇନାହିଁ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଗୁରୁବାର ଓ ଶୁକ୍ରବାର ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି।