କନ୍ଧମାଳ : ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର (ଏନ୍ଏସି) ୧୩ ନମ୍ବର ୱାର୍ଡର ସଭାଗୃହରେ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ନଗର ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ଦିବାକର ସାହୁ, ନଗର ଭାଜପା ଉପସଭାପତି ମନୋଜ ରଥ, ସଞ୍ଜୟ ଦାସ, ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତା ଜଗନ୍ନାଥ ବିଷୋୟୀ, କାଉନସିଲର ଆଲୋକ ନାୟକ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁଦୂର ପ୍ରସାରି ଜନହିତକର ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏଥିସହିତ ୧୩ ନଂ. ୱାର୍ଡରେ ବିଭିନ୍ନ ସମସ୍ୟା ଥିବା ସତ୍ତ୍ୱେ ପୂର୍ବ ସରକାର ଅମଳରେ ସମାଧାନ ହୋଇ ପାରିନଥିଲା। ବର୍ଷ ବର୍ଷ ଧରି ସାହି ବାସିନ୍ଦା ଘରଡିହ ପଟ୍ଟା ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ ଥିଲେ। ଲୋକଙ୍କୁ ସରକାରଙ୍କ ଯୋଜନା ହାତପାହାନ୍ତାରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବାଲିଗୁଡାରେ ସରକାର ଓ ସାଂସଦଙ୍କ ପ୍ରଥମ କାର୍ଯ୍ୟକ୍ରମ ହୋଇ ଥିବାରୁ ଲୋକେ ଖୁସି ପ୍ରକଟ କରିଛନ୍ତି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ୧୫୦ରୁ ଊର୍ଦ୍ଧ୍ୱ ଅଭିଯୋଗ ପତ୍ର ସାଂସଦ ପ୍ରତିନିଧିଙ୍କୁ ୱାର୍ଡ ବାସିନ୍ଦା ଦେଇଛନ୍ତି। ସରକାରୀ ଗାଇଡ଼ଲାଇନ ଅନୁସାରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଦେବା ପାଇଁ ପ୍ରାଥମିକତା ଦିଆଯିବ ବୋଲି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ପ୍ରକାଶ କରିଛନ୍ତି।