ଭୁବନେଶ୍ବର: ମଙ୍ଗଳବାରଠାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଧର୍ମେନ୍ଦ୍ର ସିଙ୍ଗାପୁର ଗସ୍ତ ଶେଷ କରି ଅଷ୍ଟ୍ରେଲିଆରେ ପହଁଚିଥିବା ବେଳେ ଏହି ଅବସରରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ,”ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟ ସଭ୍ୟତାର ସବୁଠାରୁ ବଡ ସଦିଚ୍ଛାଦୂତ। ଆମ ସଭ୍ୟତାର ମୂଲ୍ୟବୋଧ ଏବଂ ଜ୍ଞାନ ବୈଶ୍ୱିକ ଆହ୍ୱାନର ସମାଧାନ କରିପାରିବ। ଶିକ୍ଷା ସମନ୍ୱୟ ଓ ସହଯୋଗ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ମଜଭୂତ କରିବ। ଜ୍ଞାନ ସହଯୋଗ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ୱକୁ ଆଗକୁ ନେବାରେ ମୂଳଦୁଆ ପକାଇବ।” ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିକ୍ଷାର ଅନ୍ତର୍ଜାତୀୟକରଣ, ବିଶ୍ୱବିଦ୍ୟାଳୟ ସହ ସଂଯୋଗ, ଗବେଷଣା, ସ୍କିଲିଂ ଏବଂ ପାରସ୍ପିରକ ଛାତ୍ର ବିନିମୟ ଉପରେ ମଧ୍ୟ ଆଲୋକପାତ କରିଥିଲେ ।
ପ୍ରକାଶଥାଉ କି, ରବିବାରଠାରୁ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେଦ୍ର ପ୍ରଧାନ। ଶିକ୍ଷାକ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ରହିଥିବା ସୂଚନା ମିଳିଥିଲା । ଦେଶରେ ଶିକ୍ଷାକ୍ଷେତ୍ରରେ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ର ସହଯୋଗ, ଭାଗିଦାରୀ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଏହି ଗସ୍ତରେ ଯାଇଛନ୍ତି ଧର୍ମେନ୍ଦ୍ର। ତେବେ ବୁଧବାର ସେ ଅଷ୍ଟ୍ରେଲିଆର ଶିକ୍ଷାମନ୍ତ୍ରୀ ଜେସନ କ୍ଲେୟାରଙ୍କୁ ସାକ୍ଷାତ କରିବା ସହିତ ‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।