ନୂଆଦିଲ୍ଲୀ: ୨୦୨୩ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ କୁସ୍ତିଯୋଦ୍ଧା ଆନ୍ଦୋଳନ ପଛରେ କାହାର ହାତ ସେ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ଅଲମ୍ପିକ ରେସଲର ସାକ୍ଷୀ ମଲିକ । ଏହି ସମୟରେ ସେ କହିଛନ୍ତି କୁସ୍ତିଯୋଦ୍ଧା ଆନ୍ଦୋଳନରେ କଂଗ୍ରେସର ନୁହେଁ ବରଂ ବିଜେପିର ହାତ ଥିଲା। ଏହାସହିତ ଆନ୍ଦୋଳନ ପାଇଁ କିଏ ପରାଶ୍ଚିତ କରୁଥିଲେ ସେ ସମ୍ପର୍କରେ ଖୁଲାସା କରିଛନ୍ତି ସାକ୍ଷୀ ।
ଦୀର୍ଘ ଦିନରୁ ଭାରତୀୟ କୁସ୍ତିଯୋଦ୍ଧା ଓ ବିଜେପିର ପୂର୍ବତନ ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ମଧ୍ୟରେ ଚାଲି ଆସୁଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଏକ ଜାତୀୟ ଗଣମାଧ୍ୟମରେ ରେସଲର ସାକ୍ଷୀ ମଲିକଙ୍କ ଚାଞ୍ଚଲ୍ୟକର ବୟାନ ଯୋଗୁଁ ଘଟଣା ଭିନ୍ନ ମୋଡ ନେଇଥିବା ସୂଚନା ମିଳିଛି । ଏହି ସମୟରେ ବିଜେପି ନେତ୍ରୀ ବବିତା ଫୋଗାଟ କୁସ୍ତିଯୋଦ୍ଧାମାନଙ୍କୁ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଉସକାଇଥିବା ସେ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏପରି କରିବା ପଛରେ ବବିତା ଫୋଗାଟ ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ହେବାକୁ ଚାହୁଁଥିବା କହିଛନ୍ତି ସାକ୍ଷୀ ମଲିକ ।
ସୂଚନାଯୋଗ୍ୟ ଯେ, ନିକଟରେ ପ୍ରକାଶିତ ହୋଇଛି ସାକ୍ଷୀ ମଲିକଙ୍କ ବାୟୋଗ୍ରାଫି ପୁସ୍ତକ ‘ୱିଟନେସ’ । ତେବେ ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ୨୦୨୩ କୁସ୍ତିଯୋଦ୍ଧା ଆନ୍ଦୋଳନ ସମୟର କଥାକୁ ମନେପକେଇଛନ୍ତି ସାକ୍ଷୀ । ଏଥିସହିତ ସେ ସମୟରେ ଆନ୍ଦୋଳନ ପାଇଁ ବିଜେପି ନେତ୍ରୀ ତଥା କୁସ୍ତିଯୋଦ୍ଧା ବବିତା ଫୋଗଟ୍ ଉସକାଇଥିବା କହିଛନ୍ତି ସାକ୍ଷୀ।