ଭୁବନେଶ୍ୱର: ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାପରେ ବୁଧବାର ଏହା ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ବାତ୍ୟାଟି ଘଣ୍ଟାପ୍ରତି ୧୨ କିମି ବେଗରେ ସ୍ଥଳଭାଗକୁ ଅଗ୍ରସର ହେଉଥିବା ସୂଚନା ମିଳିଛି । ଭୁବନଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇ ବର୍ତମାନ ଏହା ପାରାଦୀପଠାରୁ ୨୬୦ କିଲୋମିଟର ଦୂର ଓ ଧାମରାଠାରୁ ୨୮୦ କିମି ଦୂରରେ ରହିଛି। ତେବେ ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିବା ନେଇ ପୂର୍ବାନୁମାନ କରିଛି ଆଇଏମଡ଼ି। ଏହି ବାତ୍ୟା ପ୍ରଭାବ ଉପକୂଳ ଅଂଚଳ ବିଶେଷ କରି ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଆଦି ଜିଲାରେ ରହିବା ନେଇ ସତର୍କ ସୂଚନା ଜାରି ହୋଇଛି। ଗୁରୁବାର ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ଭୋର ସମୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ପ୍ରଶାସନ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ଲୋକଙ୍କ ନିରାପତ୍ତାକୁ ଗୁରୁତ୍ଵ ଦିଆଯାଇ ଚାଳଛପର ଓ ଆଜବେଷ୍ଟର ଘରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।