ଢାକା: ନିକଟରେ ବାଂଲାଦେଶର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗାଦିଚ୍ୟୁତ ହୋଇ ଶେଷ ଛାଡିଥିବା ବେଳେ ତାଙ୍କୁ ନେଇ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ ବୃଦ୍ଧି ପାଉଛି। ତେବେ ମଙ୍ଗଳବାର ଶାହାବୁଦ୍ଦିନଙ୍କୁ ବହିଷ୍କାର ଦାବି ନେଇ ହଜାର ହଜାର ବିକ୍ଷୋଭକାରୀ ଢାକାସ୍ଥିତ ରାଷ୍ଟ୍ରପତି ବାସଭବନ ‘ବଙ୍ଗଭବନ’ ପରିସରକୁ ଧସେଇ ପଶିଥିବା ସୂଚନା ମିଳିଛି। ଫଳରେ ବାଂଲାଦେଶରେ ସାନି ଉତ୍ତେଜନା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ବାଂଲାଦେଶର ଦୈନିକ ଖବରକାଗଜ ‘ମାନବ ଜମିନ’କୁ ଏକ ସାକ୍ଷାତ୍କାର ଦେବା ସମୟରେ ରାଷ୍ଟ୍ରପତି ଶାହାବୁଦ୍ଦିନ ଶେଖ୍ ହସିନାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ‘ହସିନା ଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ମୋ ପାଖରେ କୌଣସି ଦସ୍ତାବିଜ୍ ପ୍ରମାଣ ନାହିଁ।’ ଶାହାବୁଦ୍ଦିନଙ୍କ ଏହି ବିବୃତି ପରେ ରାଷ୍ଟ୍ରପତି ହସିନାଙ୍କ ଇସ୍ତଫା ସମ୍ପର୍କରେ ମିଛ ବିବୃତି ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଆନ୍ଦୋଳନ ଜୋର୍ ଧରିଛି। ହସିନାଙ୍କ ସମର୍ଥକ ମାନେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି ।
ଆଣ୍ଟି-ଡିସ୍କ୍ରିମିନେଶନ ଷ୍ଟୁଡେଣ୍ଟ ମୁଭ୍ମେଣ୍ଟ ଶାହାବୁଦ୍ଦିନଙ୍କ ବହିଷ୍କାର ଦାବିରେ ସେଣ୍ଟ୍ରାଲ ଶହୀଦ ମିନାର ଆଗରେ ର଼୍ୟାଲିର ଆୟୋଜନ କରିବା ସହିତ ମଙ୍ଗଳବାର ବ୍ୟାରିକେଡ୍ ଭାଙ୍ଗି ବଙ୍ଗଭବନରେ ପ୍ରବେଶ ପାଇଁ ଉଦ୍ୟମ କଲାବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ତେବେ ବିକ୍ଷୋଭକାରୀଙ୍କୁ ଘଟଣାସ୍ଥଳରୁ ଘଉଡ଼ାଇବା ପାଇଁ ପୋଲିସ ସାଉଣ୍ଡ ଗ୍ରେନେଡ୍ ଫାୟାର କରିଥିଲା। କିନ୍ତୁ ଏହା ପୂର୍ବରୁ ବଙ୍ଗଭବନ ଫାଟକ ଛାଡ଼ି ଚାଲିଯିବାକୁ ସେନା ପକ୍ଷରୁ ମାଇକ ଦ୍ୱାରା ନିବେଦନ କରାଯାଇଥିବା ସତ୍ତ୍ୱେ ବିକ୍ଷୋଭକାରୀମାନେ ଏହାକୁ ମାନି ନଥିଲେ। ତେବେ ପୋଲିସ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ୩ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେନା ହସ୍ତକ୍ଷେପ କରିବାରୁ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିବା ସୂଚନା ମିଳିଛି। ତେବେ ଆନ୍ଦୋଳନକାରୀମାନେ ବାଂଲାଦେଶ ସମ୍ବିଧାନକୁ ରଦ୍ଦ କରିବା ସମେତ ୫ ଦଫା ଦାବି ଉପସ୍ଥାପନ କରିବାସହିତ ଶାହାବୁଦ୍ଦିନଙ୍କ ବହିଷ୍କାର ପାଇଁ ୭ ଦିନିଆ ମହଲତ ଦେଇଛନ୍ତି।
ପ୍ରକାଶଥାଉ କି, ଗତ ଜୁଲାଇ ଏବଂ ଅଗଷ୍ଟ ମାସରେ ଶେଖ୍ ହସିନା ସରକାର ବିରୋଧରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ରାଜନୈତିକ ସଙ୍କଟ ଦେଖାଦେବାରୁ ଶେଖ୍ ହାସିନା ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିଥିଲେ।