ତେଲଆଭିଭ୍: ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ବଢି ଚାଲିଛି ତିକ୍ତତା । ପାଲେଷ୍ଟାଇନର ହମାସ ଓ ଲେବାନନ୍ର ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ବିରୋଧରେ ଇସ୍ରାଏଲ ପକ୍ଷରୁ ଚାଲିଥିବା ଯୁଦ୍ଧ ସେଠାକାର ସ୍ଥିତିକୁ ସଂଗୀନ କରିସାରିଲାଣି । ଇସ୍ରାଏଲର ଆକ୍ରମଣରେ ପାଲେଷ୍ଟାଇନ ଓ ଲେବାନନ୍ରେ ହଜାର ହଜାର ସାଧାରଣ ନାଗରିକଙ୍କ ଜୀବନହାନି ସମେତ ଅନେକ ଆହତ ହେଉଥିବା ସୂଚନା ମିଳୁଛି। ତେବେ ଦୀର୍ଘଦିନରୁ ଲାଗି ରହିଥିବା ଏହି ସ୍ଥିତି ଯୋଗୁଁ ଇସ୍ରାଏଲର ଅର୍ଥନୀତି ମଧ୍ୟ ଦୁର୍ବଳ ହେବାରେ ଲାଗିଲାଣି।
ସୂଚନାଯୋଗ୍ୟ ଯେ, ଯୁଦ୍ଧ ଯୋଗୁଁ ଇସ୍ରାଏଲର ସାମରିକ ବ୍ୟୟ ଭାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଦେଶର ଆର୍ଥିକ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହାକୁ ସୁଧାରିବା ତଥା ଯୁଦ୍ଧବ୍ୟୟ ଭାର ବହନ କରିବା ପାଇଁ ଇସ୍ରାଏଲ ସରକାର ସାଧାରଣ ଜନତାଙ୍କ ଉପରେ ଟିକସଭାର ବଢାଇ ବଢ଼ାଇ ଚାଲିଛନ୍ତି। ଏହା ସହିତ ବିଭିନ୍ନ ପ୍ରକାର ସରକାରୀ ଯୋଜନାକୁ ହ୍ରାସ କରାଯାଉଛି। ଦେଶରେ ଭିତ୍ତିଭୂମି ବିକାଶ ଭଳି ବ୍ୟୟବହୁଳ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ତଥ୍ୟ ଅନୂଯାୟୀ ଦେଶର ସମସ୍ତ ଆୟ ଯୁଦ୍ଧାସ୍ତ୍ର କ୍ରୟ, ତିଆରି ଓ ସେନା ପାଇଁ ଖର୍ଚ୍ଚ ହେଉଛି।
ନିକଟରେ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଚଳାଇଛି। ଗତବର୍ଷ ଇସ୍ରାଏଲର ମାସିକ ସାମରିକ ବ୍ୟୟ ୪୭୦ କୋଟି ଡଲାର ରହିଥିବା ବେଳେ ଯୁଦ୍ଧ ପୂର୍ବରୁ ଇସ୍ରାଏଲର ମାସିକ ସାମରିକ ବ୍ୟୟ ୧୮୦କୋଟି ଡଲାର ଥିଲା। ସେହିପରି ଗତବର୍ଷ ଇସ୍ରାଏଲର ପ୍ରତିରକ୍ଷା ବାବଦ ଖର୍ଚ୍ଚ ୨୭୫୦କୋଟି ଡଲାର ରହିଥିଲା ଯାହା କାନାଡା ଓ ଫ୍ରାନ୍ସ ଭଳି ରାଷ୍ଟ୍ରର ଖର୍ଚ୍ଚ ଠାରୁ ଅଧିକ। ତେବେ ହମାସ ଆକ୍ରମଣର ତିନିମାସ ପରେ ଇସ୍ରାଏଲର ଅର୍ଥନୀତି ୫.୬ % ହ୍ରାସ ପାଇଥିବା ବେଳେ ଯୁଦ୍ଧ ଯୋଗୁଁ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ଦୁଇ ଦେଶ ଅର୍ଥନୀତି ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବା ସମ୍ଭାବନା ସୃଷ୍ଟି ହୋଇଛି।
ଅପରପକ୍ଷରେ ଯୁଦ୍ଧ ଯୋଗୁଁ ଇସ୍ରାଏଲରେ ଶ୍ରମିକ ଯୋଗାଣ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଇସ୍ରାଏଲକୁ ବାହାର ଦେଶର ଶ୍ରମିକ କାମ କରିବାକୁ ଯାଉ ନଥିବା ବେଳେ ଦେଶରେ ଯେଉଁ ଶ୍ରମିକମାନେ ଅଛନ୍ତି ସେମାନେ ସାମରିକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେହିପରି ଯୁଦ୍ଧ ଯୋଗୁଁ ବ୍ୟବସାୟୀମାନେ ମଧ୍ୟ ନୂଆ ବ୍ୟବସାୟ ଆରମ୍ଭ କରିପାରୁନାହାନ୍ତି। ବିମାନ ସେବା ବାଧାପ୍ରାପ୍ତ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଭୁଶୁଡି ପଡ଼ିଲାଣି। ଏଠାକାର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ଧରାଶାୟୀ ହୋଇପଡିଥିବା ବେଳେ ୱେଷ୍ଟବ୍ୟାଙ୍କର ଅର୍ଥନୀତି ବହୁମାତ୍ରାରେ ପ୍ରଭାବିତ ହୋଇଛି। ତେବେ ଏ ସମ୍ପର୍କରେ ବିଶ୍ବବ୍ୟାଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ପାଲେଷ୍ଟାଇନ ୱେଷ୍ଟବ୍ୟାଙ୍କର ଅର୍ଥନୀତି ୨୫% ସଂକୁଚିତ ହୋଇଛି। ଇସ୍ରାଏଲର ଆଇଟି ସେକ୍ଟର ଟିକସ ଆଦାୟର ମୁଖ୍ୟ ଉତ୍ସ ହୋଇଥିବା ବେଳେ ଏହି ସେକ୍ଟରରୁ ୨୫୦କୋଟି ଡଲାର ଟିକସ ଆଦାୟ ହୋଇଛି। ତେବେ ଆଗାମୀ କିଛି ଦିନ ମଧ୍ୟରେ ଇସ୍ରାଏଲର ଆର୍ଥିକ ପରିସ୍ଥିତି ଦୁର୍ବଳ ହେବାନେଇ ଆଶଙ୍କା କରାଯାଉଛି।