ଭୁବନେଶ୍ୱର : ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷା ସ୍ଥଗିତକୁ ନେଇ ଓପିଏସ୍ସି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ୭ଦିନ ମଧ୍ୟରେ ନୂଆ ପରୀକ୍ଷା ତାରିଖ ଆସିବ ବୋଲି ଓପିଏସ୍ସି କହିଛି। ସୂଚନାନୁସାରେ, ଆସନ୍ତା ୨୭ ତାରିଖରେ ପ୍ରିଲିମ ପରୀକ୍ଷା ଥିଲା। ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ)-୨୦୨୩ ପାଇଁ ନିକଟରେ ଆଡମିଟ୍ କାର୍ଡ ଜାରି କରିଥିଲା ଓପିଏସସି । ଓପିଏସସି ୱେବସାଇଟକୁ ଯାଇ ଅନେକ ପ୍ରାର୍ଥୀ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ । ତା’ ପୂର୍ବରୁ ପ୍ରିଲିମିନାରୀ ପରୀକ୍ଷାକୁ ନେଇ ନିକଟରେ ଓପିଏସଏସି ପକ୍ଷରୁ ଟାଇମ୍ ଟେବୁଲ୍ ଜାରି କରାଯାଇଥିଲା । ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ଓ ପ୍ରଥମ ଶିଫ୍ଟରେ ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର ହୋଇଥିଲା । ସେହିପରି ଦ୍ୱିତୀୟ ଶିଫ୍ଟରେ ଜେନେରାଲ ଷ୍ଟଡିଜ ପେପର-୨ ପରୀକ୍ଷା ଦ୍ୱିପ୍ରହର ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଚାଲିବା ସହ ପେପର-୧ରେ ୧୦୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ଓ ପେପର-୨ରେ ୮୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ ବୋଲି କୁହାଯାଇଥିଲା ।