କାଜାନ: ରୁଷର କାଜାନଠାରେ ଆୟୋଜିତ ହୋଇଛି ଷୋଡଶ ବ୍ରିକ୍ସ ସମ୍ମିଳନୀ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଥିବା ବେଳେ ବୁଧବାର ସେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ତେବେ ଦୀର୍ଘ ୫ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ଓ ଚୀନର ରାଷ୍ଟ୍ରପତିଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି । ଆଲୋଚନା ସମୟରେ ପୂର୍ବ ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି)ର ସୀମା ବିବାଦକୁ ସମାଧାନ ପାଇଁ ହୋଇଥିବା ଆପୋଷ ବୁଝାମଣା ଉଭୟ ସ୍ବାଗତ କରିଥିଲେ। ଏହି ସାକ୍ଷାତକାର ଅବସରରେ ଜିନ୍ପିଙ୍ଗଙ୍କୁ ମୋଦୀ କହିଥିଲେ ଯେ, “ସୀମାରେ ଶାନ୍ତି ଓ ସ୍ଥିରତାକୁ ସର୍ବଦା ପ୍ରାଥମିକତା ଦିଆଯିବା ଦରକାର। ଭାରତ ଓ ଚୀନ ମଧ୍ୟରେ ଉତ୍ତମ ସମ୍ପର୍କ କେବଳ ଆମର ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ ଆମ ଦୁହିଁଙ୍କ ମଧ୍ୟରେ ସୁସମ୍ପର୍କ ବିଶ୍ବ ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ପରସ୍ପର ମଧ୍ୟରେ ବିଶ୍ବାସ, ପରସ୍ପର ପ୍ରତି ସମ୍ମାନ ଓ ପରସ୍ପରର ଉଦବେଗପ୍ରତି ସମ୍ବେଦନଶୀଳତା ଦ୍ବାରା ସମ୍ପର୍କରେ ନିବିଡତା ଆସିପାରିବ।”
ଅପରପକ୍ଷରେ କଥାବାର୍ତ୍ତା ସମୟରେ ଜିନପିଙ୍ଗ ପ୍ରତିଶ୍ରୁତି ଦେଇ ଉଭୟ ଦେଶର ମତଭେଦକୁ କଥାବାର୍ତ୍ତା ଦ୍ବାରା ଆପୋଷ ସମାଧାନ କରିବା ସହ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଅଧିକ ଯୋଗାଯୋଗ କରିବା ପୂର୍ବକ ମତଭେଦକୁ ଠିକ୍ ରୂପେ ପରିଚାଳନା କରିବା କଥା କହିଛନ୍ତି। ତେବେ ଦୁଇ ଦେଶ ନିଜର ବିକାଶମୂଳକ ଆକାଂକ୍ଷାକୁ ପୂରଣ କରିପାରିବେ ସେ ଦିଗରେ ଚୀନ ପଦକ୍ଷେପ ନେବା ନେଇ ଗୁରୁତ୍ୱାରୋପ କରିଛନ୍ତି ଜିନପିଙ୍ଗ।
ପ୍ରକାଶଥାଉ କି, ୨୦୧୯ ମସିହା ଅକ୍ଟୋବରରେ ତାମିଲନାଡୁର ମହାବଳିପୁରମ୍ରେ ଶେଷ ଥର ପାଇଁ ମୋଦୀ ଓ ଜିନ୍ପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହାପରେ ୨୦୨୦ ମସିହା ଜୁନ୍ରେ ଲଦାଖର ଗଲୱାନ ଉପତ୍ୟକାରେ ହୋଇଥିବା ଦୁଇଦେଶର ସେନା ସଂଘର୍ଷ ପରେ ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନଥିଲା। ୨୦୨୨ ମସିହାରେ ଇଣ୍ଡୋନେସିଆର ବାଲି ଠାରେ ଆୟୋଜିତ ହୋଇଥିବା ଜି-୨୦ ଏବଂ ୨୦୨୩ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦୁଇ ନେତା ଏକାଠି ହୋଇଥିଲେ ସୁଦ୍ଧା କୌଣସି ଦ୍ବିପାକ୍ଷିକ ଆଲୋଚନା ହୋଇନଥିଲା। ତେବେ ଗଲୱାନ ସଂଘର୍ଷକୁ ନେଇ ଲାଗି ରହିଥିବା ସୀମା ବିବାଦ ପାଇଁ ଗତ ୨୧ରେ ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା ହୋଇ ଦୁଇ ଦେଶ ସୀମାରେ ପାଟ୍ରୋଲିଂ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ସୀମା ବିବାଦର ଆପୋଷ ସମାଧାନ ପରେ ମୋଦୀ ଓ ଜିନ୍ପିଙ୍ଗଙ୍କ ମଧ୍ୟରେ ପ୍ରାୟ ୫ ବର୍ଷ ପରେ ବାର୍ତ୍ତାଳାପ କରିଛନ୍ତି ।