ଭୁବନେଶ୍ୱର ୨୪।୧୦: ଚନ୍ଦକା ଥାନା ମେଣ୍ଢାଶାଳ ଗାଁରେ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଛି। ରକ୍ତମୁଖା ଭିଣୋଇର ଭୁଜାଲିରେ ଚୋଟର ଶାଳାର ତଣ୍ଟି କାଟିଛି। ଏତିକି ଅଭିଯୁକ୍ତ ଭିଣୋଇର ନୃସଂଶତା ଶେଷ ହୋଇ ନଥିଲା। ଶଳାକୁ ଆକ୍ରମଣ କରୁଥିବା ଦେଖି ଅଟକାଇବାକୁ ଆସୁଥିବା ପୁଅ ଓ ପୁତୁରା ମଧ୍ୟ ଭୁଜାଲି ଆକ୍ରମଣର ଶିକାର ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରିବା ସହ ଘଟଣାସ୍ଥଳ ସାଇଣ୍ଟିଫିକ୍ ପହଞ୍ôଚ ଛାନ୍ଭିନ୍ ଆରମ୍ଭ କରିଛି। ଅନ୍ୟପକ୍ଷରେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମେଣ୍ଢାଶାଳ ଗାଁର ପ୍ରଶାନ୍ତ ବିଶ୍ୱାଳ (୫୫) ଓ ହତ୍ୟାକାରୀ ଜଣଙ୍କ ହେଉଛନ୍ତି ପ୍ରଶାନ୍ତଙ୍କ ନିଜ ଭିଣୋଇ ଲକ୍ଷ୍ମୀଧର ଦାସ (୫୯) । ଲକ୍ଷ୍ମୀଧର ରେଳବାଇରେ ଚାକିରୀ କରୁଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ବେଶ କିଛିଦିନ ରାଜ୍ୟ ବାହାରେ ରହିବା ପରେ ଗତ କିଛିଦିନ ତଳେ ଅଭିଯୁକ୍ତ ଲକ୍ଷ୍ମୀଧର ମେଣ୍ଢାଶାଳ ସ୍ଥିତ ନିଜ ଘରକୁ ଫେରିଥିଲେ। ତେବେ ଲକ୍ଷ୍ମୀଧର ବାହାରେ ରହୁଥିବାରୁ ଶଳା ପ୍ରଶାନ୍ତ ତାଙ୍କ ଘରର ସମସ୍ତ ଭଲମନ୍ଦ କଥା ବୁଝିଥାନ୍ତି। ଲକ୍ଷ୍ମୀଧର ଅଧିକାଂଶ ସମୟରେ ନିଶାସକ୍ତ ହୋଇ ପ୍ରଶାନ୍ତଙ୍କ ଭଉଣୀଙ୍କୁ ମାଡ଼ଧର କରୁଥିବାରୁ ଏହାକୁ ନେଇ ଉଭୟ ଶଳା ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥାଏ। ବୁଧବାର ମଧ୍ୟ ଅନ୍ୟଦିନ ଭଳି ଲକ୍ଷ୍ମୀଧର ସନ୍ଧ୍ୟାରେ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାକୁ ନେଇ ପୁଣିଥରେ ଶଳା ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାତି ପ୍ରାୟ ୧ଟା ବେଳେ ଭିଣୋଇ ଲକ୍ଷ୍ମୀଧର ଅତ୍ୟଧିକ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଗେଟ ପାଖରୁ ହିଁ ସେ ଶଳା ପ୍ରଶାନ୍ତଙ୍କୁ ଖରାପ ଭାଷାରେ ଗାଳି କରି ଘରୁ ବାହାରକୁ ଡାକିଥିଲେ। ପରେ ପ୍ରଶାନ୍ତ ଘରୁ ବାହାରି ଆସିବାରୁ ଅଭିଯୁକ୍ତ ଲକ୍ଷ୍ମୀଧର ସାଙ୍ଗରେ ନେଇ ଆସିଥିବା ଏକ ଭୁଜାଲିରେ ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ପ୍ରଶାନ୍ତ ତଳେ ପଡ଼ି ଯିବାରୁ ରକ୍ତମୁଖା ସାଜିଥିବା ଲକ୍ଷ୍ମୀଧର ତାଙ୍କ ବେକକୁ ଭୁଜାଲିରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ପ୍ରଶାନ୍ତ ଅଭିଯୁକ୍ତର ଆକ୍ରମଣରେ ତଳେ ପଡ଼ି ଚିତ୍କାର କରୁଥିବା ଦେଖି ଘର ଭିତରେ ଥିବା ତାଙ୍କ ଦୁଇ ପୁଅ ଏବଂ ଅଭିଯୁକ୍ତର ପୁଅ ମଧ୍ୟ ବାହାରି ଆସିଥିଲେ। ସେମାନେ ମଧ୍ୟ ପ୍ରଶାନ୍ତଙ୍କୁ ଆକ୍ରମଣରୁ ବର୍ତ୍ତୀ ପାରି ନ ଥିଲେ। ପ୍ରଶାନ୍ତ ମଧ୍ୟ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସେମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ହତ୍ୟା ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଲକ୍ଷ୍ମୀଧର ଫେରାର ହୋଇଯାଇଥିଲେ। ତେବେ ରାତି ହିଁ ପୋଲିସ ଛାନଭିନ୍ନ କରି ଅନ୍ୟଏକ ଗାଁରୁ ଅଭିଯୁକ୍ତକୁ ଧରିଥିଲା।